ପୁରୀ: ତିରୁପତି ବାଲାଜୀ ମନ୍ଦିର ଲଡୁ ଅପମିଶ୍ରିତ ଘିଅରେ ତିଆରି ହେଉଥିବା ବିବାଦ ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ସତର୍କ । ପୁରୀ ଶ୍ରୀମନ୍ଦିରରେ ଫୁଡ୍ ଇନ୍ସପେକ୍ଟର ନିଯୁକ୍ତ ହେବା ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି ଫୁଡ ଇନ୍ସପେକ୍ଟର ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତିରେ ଲାଗି ହେଉଥିବା ଭୋଗ ଓ ଘିଅର ମାନ ଯାଞ୍ଚ କରିବେ ।
ମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କୁ ଲାଗି ହେଉଥିବା ମହାପ୍ରସାଦ ସହ ବିଭିନ୍ନ ଶୁଖିଲା ଭୋଗର ମାନ ଯାଞ୍ଚ କରିବେ ଫୁଡ୍ ଇନ୍ସପେକ୍ଟର । ଶୀଘ୍ର ଶ୍ରୀମନ୍ଦିରରେ ଫୁଡ୍ ଇନ୍ସପେକ୍ଟରଙ୍କୁ ନିଯୁକ୍ତ କରାଯିବ । ଏଥିସହ ମନ୍ଦିରରେ ବ୍ୟବହୃତ ସମସ୍ତ ଭୋଗ ସାମଗ୍ରୀ ଓ ଘିଅର ଶୁଦ୍ଧତା ବି ଯାଞ୍ଚ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଖୁବଶୀଘ୍ର ମାର୍ଗଦର୍ଶିକା ଜାରି ହେବ ।
ମନ୍ତ୍ରୀ ଆହୁରି କହିଛନ୍ତି, ଶ୍ରୀମନ୍ଦିରର ଘିଅର ଶୁଦ୍ଧତା ନେଇ ପ୍ରଶ୍ନ ଉଠିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତମାନଙ୍କ ସହ ଆଲୋଚନା କରାଯାଇଛି । ଏନେଇ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି ।
ତିରୁମାଳା ତିରୁପତି ବାଲାଜୀ ମନ୍ଦିରର ଲଡୁ ମାଛ ତେଲ, ଘୁଷୁରି ଓ ଗୋରୁ ଚର୍ବିର ଅପମିଶ୍ରଣରେ ପ୍ରସ୍ତୁତ ହେଉଥିବା ଅଭିଯୋଗ ଆସିବା ପରେ ପୁରୀ ମନ୍ଦିରରୁ ମିଳୁଥିବା ମହାପ୍ରସାଦରେ ବ୍ୟବହୃତ ଘିଅର ଶୁଦ୍ଧତାକୁ ନେଇ ପ୍ରଶ୍ନ ଉଠିଥିଲା । ଏନେଇ ପୁରୀ ଜିଲ୍ଲାପାଳ କହିଥିଲେ, ବିଶେଷ କରି ଘିଅ କୋଠ ଭୋଗରେ ଲାଗି ହୋଇଥାଏ । ଘିଅ ଶୁଦ୍ଧତା ନେଇ ଯଦି ପ୍ରଶ୍ନ ଉଠୁଛି, ତା’ହେଲେ ମାନ ଯାଞ୍ଚ କରାଯିବ । ଯେଉଁ ଘିଅର ମାନ ଯାଞ୍ଚ କରାଯାଇଥିବ ସେହି ଘିଅକୁ ଶ୍ରୀମନ୍ଦିରରେ ବ୍ୟବହାର କରାଯିବ ।