ଅନିର୍ଦ୍ଦିଷ୍ଟ କାଳ ପାଇଁ ପଞ୍ଚ ଲିଙ୍ଗେଶ୍ବର ମନ୍ଦିରରେ ଦର୍ଶନ ବନ୍ଦ


ବାଲେଶ୍ବର: ଅନିର୍ଦ୍ଦିଷ୍ଟ କାଳ ପାଇଁ ପଞ୍ଚ ଲିଙ୍ଗେଶ୍ୱର ମନ୍ଦିରରେ ଦର୍ଶନ ବନ୍ଦ କରାଯାଇଛି । ଲଗାଣ ବର୍ଷା ଯୋଗୁଁ ଝରଣାରେ ପ୍ରଖର ସ୍ରୋତ ଆସିବାରୁ ପଞ୍ଚ ଲିଙ୍ଗେଶ୍ୱରଙ୍କୁ ସ୍ପର୍ଶ କରିବା ଓ ପାଖକୁ ଯିବା ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । କେବଳ ମନ୍ଦିର ବାହାରେ ଭୋଗ କରି ଫେରିବା ପାଇଁ ଭକ୍ତଙ୍କୁ କୁହାଯାଇଛି ।

ରାଜ୍ୟରେ କିଛି ଦିନ ହେବ ବର୍ଷା ଲାଗି ରହିଛି । ଫଳରେ ପଞ୍ଚ ଲିଙ୍ଗେଶ୍ୱରରେ ଝରଣା ପାଣିର ସ୍ରୋତ ବହୁ ପ୍ରଖର ରହିଛି । ଫଳରେ ଭକ୍ତଟିଏ ଯାଇ ଲିଙ୍ଗକୁ ଛୁଇଁ ଆସିବା ବିପଦ ପୂର୍ଣ୍ଣ । ଏଥିପାଇଁ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଛି । ଝରଣା ପାଣିର ପ୍ରଖର ସ୍ରୋତ ନ କମିବା ଯାଏଁ ଲିଙ୍ଗକୁ ସ୍ପର୍ଶ କରିବାକୁ ବାରଣ କରାଯାଇଛି । ପୂଜା ମଣ୍ଡପର ଦୀପ ଜାଳିବା ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି । ତେବେ ବାହାର ରାଜ୍ୟରୁ ଆସିଥିବା ଭକ୍ତଭମାନେ ବାବାଙ୍କୁ ଦର୍ଶନ କରି ନପାରିବାରୁ ନିରାଶ ହୋଇ ଫେରିଛନ୍ତି ।

ସୂଚନାଯୋଗ୍ୟ, ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିଛି । ଆଜି ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୱାର୍ଣ୍ଣିଂ ଜାରି କରାଯାଇଛି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି ।