ଭୁବନେଶ୍ବର: ଆଜି ଲୋକସେବା ଭବନର କନଭେନସନ ହଲ୍ରେ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରିବା ସହ ସରକାରୀ ଅଫିସରଙ୍କୁ କଡ଼ା ଭାଷାରେ ତାଗିଦ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, କୌଣସି ପରିସ୍ଥିତିରେ ଦୁର୍ନୀତି ବରାଦାସ୍ତ କରାଯିବନି । ଜନ ପ୍ରତିନିଧିଙ୍କୁ ଉଚିତ ସମ୍ମାନ ଦେବେ ଅଫିସର । ଏଥିସହ ସ୍କୁଲ କାନ୍ଥରେ ରଙ୍ଗ ବୋଳି ଦେଲେ ବିକାଶ ହୁଏନି ବୋଲି କହି ପୂର୍ବ ସରକାରର 5Tଟି ବ୍ୟବସ୍ଥାକୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଜିଲ୍ଲାପାଳ ସମ୍ମିଳନୀକୁ ଉଦଘାଟନ କରିବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁର୍ନୀତି ନେଇ ଶୂନ୍ୟ ସହନଶୀଳତା ଅବଲମ୍ବନ କରନ୍ତୁ ଜିଲ୍ଲାପାଳ । ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କରନ୍ତୁ, ଯଦି କିଛି ଅନିୟମିତତା ଦେଖୁଛନ୍ତି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଏଥିସହ ପୂର୍ବ ସରକାର ବେଳେ ହୋଇଥିବା ଦୁର୍ନୀତିର ଜିଲ୍ଲାପାଳ ତଦନ୍ତ କରନ୍ତୁ । ଗଣମାଧ୍ୟମ, ସୋସିଆଲ ମିଡିଆରେ ଆସୁଥିବା ଅଭିଯୋଗ ବାବଦରେ ଅନୁଧ୍ୟାନ କରନ୍ତୁ ।
ଏହି ଅବସରରେ ଜିଲ୍ଲାପାଳମାନେ ଜିଲ୍ଲାସ୍ତରରେ ଲୋକଙ୍କୁ ତ୍ୱରିତ ସେବା ପ୍ରଦାନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାସ୍ତରରେ ସାଧାରଣ ଲୋକ ସରକାର କହିଲେ ଜିଲ୍ଲାପାଳମାନଙ୍କୁ ବୁଝିଥାନ୍ତି । ରାଜଧାନୀକୁ ଛାଡ଼ି ଦେଲେ ଅନ୍ୟ ସବୁଠି ସରକାର କହିଲେ ଜିଲ୍ଲାପାଳଙ୍କୁ ବୁଝାଯାଇଥାଏ । ଜିଲ୍ଲାପାଳଙ୍କ ନିକଟରେ ଲୋକଙ୍କ ସମସ୍ୟା ସମାଧାନ ହୋଇଥାଏ । ସରକାର ଓ ଲୋକଙ୍କ ମଧ୍ୟରେ ମୁଖ୍ୟ ସେତୁ ହେଉଛନ୍ତି ଜିଲ୍ଲାପାଳ । ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ଜିଲ୍ଲାପାଳଙ୍କ ଦାୟିତ୍ୱ । ସରକାରୀ ଯୋଜନା କାର୍ଯ୍ୟକାରୀ ହେଲେ ଓଡ଼ିଶାରୁ ଗରିବୀ ହଟିବ । ଉନ୍ନତିମୂଳକ କାର୍ଯ୍ୟରେ ବିଳମ୍ବ ହେଲେ ଦୁର୍ନୀତି ହୁଏ, ସେଥିପ୍ରତି ନଜର ରଖିବା ଆବଶ୍ୟକ । ଜିଲ୍ଲାପାଳ ତ୍ରୟମାସିକ ସମୀକ୍ଷା କରି ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରନ୍ତୁ । ଜିଲ୍ଲାପାଳମାନେ ଥାନା ଓ ଶିକ୍ଷାନୁଷ୍ଠାନ ପରିଦର୍ଶନରେ ଯାଆନ୍ତୁ । ଯଦି କୌଣସି ବିଚ୍ୟୁତି ଦେଖୁଛନ୍ତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ଅବସରରେ ପୂର୍ବ ସରକାରର 5T ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ପୂର୍ବ ସରକାରରେ ଶିକ୍ଷାର ବିକାଶ ନାଁରେ ସ୍କୁଲ କାନ୍ଥରେ ରଙ୍ଗା ମରାଯାଉଥିଲା । ଶିକ୍ଷାର ଭିତ୍ତିଭୂମି ବିକାଶ କରିବା ବଦଳରେ ସ୍କୁଲ କାନ୍ଥକୁ ରଙ୍ଗୀନ କରାଯାଉଥିଲା । ସ୍କୁଲ କାନ୍ଥରେ ରଙ୍ଗ ମାରିଲେ ଶିକ୍ଷାର ବିକାଶ ହୁଏ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଜିଲ୍ଲାପାଳ ସମ୍ମିଳନୀରେ ସରକାରୀ ଅଧିକାରୀଙ୍କ ନିୟମିତ ବଦଳି ଉପରେ ଗୁରୁତ୍ୱ ଦେବା ସହ କିଛି ଅଧିକାରୀ ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ରହିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଜଣେ ଅଧିକାରୀ ଗୋଟିଏ ସ୍ଥାନରେ ୩ରୁ ୪ ବର୍ଷ ରହିବା କଥା । ୪ ବର୍ଷ ପରେ ଅଧିକାରୀଙ୍କ ବଦଳି ନେଇ ସରକାରୀ ନିୟମ ରହିଛି । କିନ୍ତୁ ପୂର୍ବ ସରକାରରେ ଜଣେ ଜଣେ ଅଧିକାରୀ ବହୁ ବର୍ଷ ଧରି ଗୋଟିଏ ସ୍ଥାନରେ ରହିଥିବା ଦେଖାଯାଇଛି । ଗୋଟିଏ ଗୋଟିଏ ବିଭାଗରେ ୧୫ ବର୍ଷ, ୧୦ ବର୍ଷ ଧରି ରହିଛନ୍ତି । ଆଉ ସେକାଳ ପଖାଳ ନାହିଁ, ସରକାରୀ ଅଧିକାରୀମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବଦଳି ହେଲେ ସ୍ୱଚ୍ଛତା ଆସିବ, ଅଭିଜ୍ଞତା ଆଧାରରେ ବିକାଶ ତ୍ୱରାନ୍ୱିତ ହେବ । ପ୍ରଶାସନରେ ସ୍ୱଚ୍ଛତା ଆସିଲେ ସାଧାରଣ ଲୋକଙ୍କୁ ଉଚିତ ନ୍ୟାୟ ମିଳିବ ବୋଲି କହିଛନ୍ତି ମୋହନ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲୋକ ପ୍ରତିନିଧିମାନଙ୍କୁ ଅଫିସରମାନେ ସମ୍ମାନ ଦେବାକୁ ପରାମର୍ଶ ଦେଇଛନ୍ତି । ସେ ୱାର୍ଡ ମେମ୍ବର ହେଉ କି ହେଉ ଜିଲ୍ଲା ପରିଷଦ ସଭ୍ୟ ସମସ୍ତଙ୍କୁ ସମ୍ମାନ ମିଳିବା ଆବଶ୍ୟକ । ପୂର୍ବ ସରକାରରେ ଲୋକ ପ୍ରତିନିଧିଙ୍କୁ ସମ୍ମାନ ମିଳୁ ନଥିଲା, ଲୋକପ୍ରତିନିଧିଙ୍କୁ ବସିବାକୁ ଚେୟାରଟିଏ ବି ଅଫର କରୁ ନଥିଲେ ଅଫିସର । ନିର୍ବାଚିତ ଜନପ୍ରତିନିଧିଙ୍କୁ ବୁକ୍ ସର୍କୁଲାର୍-୪୭ ଅନୁସାରେ ସମ୍ମାନ ଦିଆଯାଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏଥିସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏକ ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ମନ୍ତ୍ରୀ ଏବଂ ଅନ୍ୟ
ଲୋକପ୍ରତିନିଧି ଉପସ୍ଥିତ ଥିଲେ । ସେହି ବୈଠକରେ ଜଣେ ଜିଲ୍ଲାପାଳ ବିଳମ୍ବରେ ପହଞ୍ଚିଥିଲେ । ହେଲେ ସେ କେନ୍ଦ୍ରମନ୍ତ୍ରୀଙ୍କୁ ନମସ୍କାର ଜଣାଇଥିଲେ ବି ରାଜ୍ୟ ମନ୍ତ୍ରୀଙ୍କୁ ସମ୍ମାନ ଦେଇ ନଥିଲେ । ସେହି ରାଜ୍ୟ ମନ୍ତ୍ରୀ ଏବେ ଦେଶର ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ତେଣୁ ଲୋକ ପ୍ରତିନିଧିଙ୍କୁ ସମ୍ମାନ ଦେବାରେ ଏତେ କୁଣ୍ଠା କାହିଁକି ବୋଲି ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ ।
ସେହିପରି ଚୋରା ମଦ କାରବାର ରୋକିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଚୋରା ମଦ କାରବାରରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ମୋହନ । ଜିଲ୍ଲାପାଳ ଅପମିଶ୍ରିତ ମଦ ପ୍ରସ୍ତୁତକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଅବକାରୀ ବିଭାଗକୁ ଏଥିପାଇଁ ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇଛି । ଚୋରା ମଦ କାରବାର ରୋକିବା ଦାୟିତ୍ୱ ଜିଲ୍ଲାପାଳଙ୍କ ହାତରେ ରହିଛି । ଏଥିପାଇଁ ନିଜ ଜିଲ୍ଲାରେ ଯଦି କିଛି ଅଘଟଣ ହୁଏ, ଜିଲ୍ଲାପାଳ ଉତ୍ତରଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ସବୁ ଜିଲ୍ଲାପାଳଙ୍କୁ ନେଇ ବୈଠକ କରିଥିଲେ ରାଜ୍ୟ ସରକାର । ଆଜି ଓ କାଲି ଦୁଇ ଦିନ ଧରି ଏହି ବୈଠକ ଚାଲିବ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଓ କେଭି ସିଂହ ଦେଓଙ୍କ ସମେତ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ଥିଲେ ।