ବୀରମହାରାଜପୁର : (ସୌମୀତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ସ୍ଥିତ ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଖୋଜ କୁମାର ପଧାନ ସୋମବାର ଚାକିରୀରୁ ଅବସର ଗ୍ରହଣ କରିଥିବା ଜଣାପଡ଼ିଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ଭୂଷଣ କୁମାର ପାତ୍ର ମୁଖ୍ୟ ଅତିଥି ଓ ସ୍ଥାନୀୟ ସରପଞ୍ଚ ଜୟଶ୍ରୀ ଦେହୁରୀ ଓ ଶିକ୍ଷକ ସନ୍ତୋଷ ରଥ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ ଦୀର୍ଘ ୩୭ ବର୍ଷର ଶିକ୍ଷକତା ଜୀବନରେ ଶ୍ରୀ ପଧାନଙ୍କ ଛାତ୍ରବତ୍ସଲତା ଓ କାର୍ଯ୍ୟନିଷ୍ଠାର ଉଚ୍ଚ ପ୍ରଶଂସା କରିଥିଲେ । ପରିଚାଳନା କମିଟି ସଭାପତି ରତ୍ନାକର ପଧାନଙ୍କ ପୋରୋହିତ୍ୟରେ ଅନୁଷ୍ଠିତ ସଭାକୁ ପୂର୍ବତନ ଛାତ୍ର ପ୍ରମୋଦ ପଣ୍ଡା ସଂଯୋଜନା କରିଥିଲେ । ହିନ୍ଦୀ ଶିକ୍ଷକ ରଣଜିତ୍ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ଅବସରପ୍ରାପ୍ତ ଶିକ୍ଷକ , ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।