ବାଙ୍ଗିରିପୋଷି ଘାଟିରେ ଦେଢ଼ ଘଣ୍ଟାରେ ଛଡ଼ାଯିବ ଭାରିଯାନ


ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଲାଇଫ୍‌ ଲାଇନ୍‌ କୁହାଯାଉଥିବା ବାଙ୍ଗିରିପୋଷି ଘାଟିରେ ରାସ୍ତା ଜାମ ଘଟଣା ଟେନସନ୍‌ ବଢ଼ାଉଛି । କିଛି ରାସ୍ତା ଅତିକ୍ରମ କରିବାକୁ ଲାଗୁଛି ୩ରୁ ୪ ଘଣ୍ଟା । ଘାଟି ରାସ୍ତାରେ ଶହ ଶହ ଟ୍ରକ୍ ସମେତ ଛୋଟ ବଡ଼ ଗାଡ଼ି ଅଟକି ରହିଛନ୍ତି । ଘାଟି ରାସ୍ତାର ଉଭୟ ପାର୍ଶ୍ୱରେ ୧୭ କିମି ଯାଏଁ ଏପରି ଚିତ୍ର ଦେଖିବାକୁ ମିଳିଛି ।

ଚାରିଦିନ ଧରି ବାଙ୍ଗିରିପୋଷି ଘାଟିରେ ରାସ୍ତା ଜାମ ସ୍ଥିତି ଲାଗି ରହିବା ପରେ ଆଜି ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ତୁରନ୍ତ ରାସ୍ତା ଜାମ୍‌ ହଟାଇବା ସହ ଏହାର ସୁପରିଚାଳନା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ।

ମୟୂରଭଞ୍ଜ ଜିଲ୍ଲାପାଳ ଗତକାଲି ବାଙ୍ଗିରିପୋଷି ଏବଂ ବିଶୋଇ ପୋଲିସକୁ ସ୍ୱତନ୍ତ୍ର ଚିଠି କରିଛନ୍ତି । ଏହି ଚିଠିରେ ଘାଟି ରାସ୍ତାର ଉଭୟ ପାର୍ଶ୍ୱରେ ୨୪ ଘଣ୍ଟା ପୋଲିସ ପାଟ୍ରୋଲିଂ କରିବାକୁ ନିର୍ଦ୍ଦେଶ କରିଛନ୍ତି । ଏଥିସହ ଭାରିଯାନ ଯାତାୟତ ଉପରେ କଟକଣା ଜାରି କରିଛନ୍ତି ।

୪୯ ନମ୍ବର ଜାତୀୟ ରାଜପଥ ଘାଟି ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରତି ଦେଢ଼ ଘଣ୍ଟା ବ୍ୟବଧାନରେ ଭାରିଯାନ ଛାଡ଼ିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ବାଙ୍ଗିରିପୋଷି ଓ ବିଷୋୟୀ ପଟୁ ଭାରିଯାନ ଛଡ଼ାଯିବ । ଭାରିଯାନ ନିୟନ୍ତ୍ରଣ ପାଇଁ ଘାଟିର ଉଭୟ ପଟେ ପୋଲିସ ମୁତୟନ ହେବେ ବୋଲି ଜିଲ୍ଲାପାଳଙ୍କ ଚିଠିରେ ଉଲ୍ଲେଖ ରହିଛି । ଅନ୍ୟ ସମୟରେ ଭାରି ଯାନଗୁଡିକ ରାସ୍ତାର ବାମ ପାର୍ଶ୍ୱରେ ପାର୍କିଂ କରିବେ ଓ ଅନ୍ୟ ଗାଡ଼ି ଯାତାୟତ କରିବ ବୋଲି ଉଲ୍ଲେଖ କରିଛନ୍ତି ଜିଲ୍ଲାପାଳ ।

ଏଥିସହ ଘାଟି ରାସ୍ତା ଯେଭଳି ଜାମ ନ ହୁଏ ବିଡ଼ିଓ ତଥା ତହସିଲଦାର ତାହାର ତଦାରଖ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏହି କଟକଣା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜିଲ୍ଲାପାଳଙ୍କ ଚିଠିରେ ଉଲ୍ଲେଖ ରହିଛି ।

ବାଙ୍ଗିରିପୋଷି ଘାଟି ହେଉଛି ମୟୂରଭଞ୍ଜ ଜିଲ୍ଲାର ଲାଇଫ ଲାଇନ୍‌ । ଏହି ବାଟ ଦେଇ ଜିଲ୍ଲାର ଉଚ୍ଚ ଅଧିକାରୀଙ୍କଠୁ ସାଧାରଣ ଲୋକେ ଯିବା ଆସିବା କରି ଥାଆନ୍ତି । ଘାଟି ରାସ୍ତାରେ ମୋବାଇଲ ନେଟୱର୍କ କିମ୍ବା ଟୋପାଏ ପାଣି ପିଇବା ପାଇଁ ନଥିବା ବେଳେ ଯାତାୟାତ କରୁଥିବା ସମସ୍ତେ ନାହିଁ ନ ଥିବ ହନ୍ତସନ୍ତ ହେଉଛନ୍ତି । କିଛି ଦିନ ହେବ ଲାଗି ରହିଥିବା ଏହି ସମସ୍ୟା ପ୍ରତି କେହି ନିଘା ଦେଉ ନ ଥିଲେ । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶି ହେବା ପରେ ଆକ୍ସନ ମୁଡକୁ ଚାଲି ଆସିଛି ପ୍ରଶାସନ ।