ଡକାୟତି କରିବାକୁ ଆପାର୍ଟମେଣ୍ଟରେ ପଶି ମହିଳାଙ୍କୁ ଗଣ ଦୁଷ୍କର୍ମ


ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ମହିଳାଙ୍କୁ ଗଣ ଦୁଷ୍କର୍ମ । ଡକାୟତି କରିବାକୁ ଘରେ ପଶିଥିବା ଦୁଇ ଲୁଟେରା ମହିଳାଙ୍କୁ ଦୁଷ୍କର୍ମ କରିବା ସହ ଲୁଟି ଛନ୍ତି । ମୈତ୍ରୀ ବିହାର ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଘଟିଛି ଏହି ଘଟଣା । ମହିଳା ଜଣଙ୍କ ଘଟଣା ସଂପର୍କରେ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି ।   

ଅଭିଯୋଗ ଅନୁଯାୟୀ, ଗତ ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ରାତି ପ୍ରାୟ ସାଢ଼େ ଗୋଟାଏରୁ ୨ଟା ଭିତରେ ଏହି ଘଟଣା ଘଟିଛି । ଦୁଇ ଜଣ ଲୁଟେରା ଲୁଟ୍ କରିବାକୁ ମହିଳାଙ୍କ ଘରେ ପଶିଥିଲେ । ସେତେବେଳେ ମହିଳା ଜଣଙ୍କ ତାଙ୍କର ୨ ବର୍ଷର ଝିଅ ସହିତ ଶୋଇଥିଲେ । ଘରେ ଆଉ କେହି ନଥିଲେ । ଏହାର ସୁଯୋଗ ନେଇ ଲୁଟେରା ଦ୍ୱୟ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ।

ଲୁଟେରାମାନେ ପ୍ରଥମେ ଉକ୍ତ ମହିଳାଙ୍କ ସୁନା ଚେନ୍ ଓ ମୋବାଇଲ ଇତ୍ୟାଦି ନେଇଯାଇଥିଲେ । ପରେ ଯେତେବେଳେ ଜାଣିଲେ ଯେ ମହିଳା ଜଣଙ୍କ ଘରେ କେବଳ ତାଙ୍କ ଛୋଟ ଝିଅ ସହିତ ଅଛନ୍ତି, ତା’ପରେ ସେମାନେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏମିତିକି ତାଙ୍କ ଝିଅ ବେକରେ ଛୁରୀ ରଖି ହତ୍ୟା ଧମକ ଦେଇଥିଲେ ଲୁଟେରା ଦ୍ୱୟ । ଯାହା ଜଣାପଡ଼ିଛି, ଲୁଟେରା ଦ୍ୱୟ ବାଉଁଶ ପକାଇ ବାଲକୋନୀ ଦେଇ ଘର ଭିତରେ ପଶିଥିଲେ । 

ମହିଳା ଜଣଙ୍କ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ବେଳେ ମାତ୍ର ୧୦ ଦିନ ହେଲା ଏହି ଆପାର୍ଟମେଣ୍ଟରେ ଏକ ଫ୍ଲାଟ ଭଡ଼ା ନେଇ ରହୁଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଏକ ଆପାର୍ଟମେଣ୍ଟରେ ଏମିତି ଏକ ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ସୋମବାର ସକାଳେ ମହିଳା ଜଣଙ୍କ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିଲେ ହେଁ ଦୁଇ ଅଭିଯୁକ୍ତଙ୍କ ସଂପର୍କରେ କିଛି ଜଣାପଡ଼ିନାହିଁ । ପୋଲିସ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହିତ ପାଖ ପଡ଼ୋଶୀଙ୍କୁ ପଚରାଉଚରା କରିଛି । ଉକ୍ତ ଆପାର୍ଟମେଣ୍ଟରେ ସିସିଟିଭି ନଥିବା ବେଳେ ପାଖରେ ଥିବା ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରୁଛି । ସ୍ପେଶାଲ ସ୍କ୍ୱାଡ୍‌ ମଧ୍ୟ ଅଭିଯୁକ୍ତ ଦ୍ୱୟଙ୍କୁ ଧରିବା ପାଇଁ ତା’ର ଚଢ଼ାଉ ଜାରି ରଖିଛି ।