ଡାଙ୍ଗଣାମୁ ଘାଟିରୁ ମୃତଦେହ ଉଦ୍ଧାର ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ


କନ୍ଧମାଳ: ଡାଙ୍ଗଣାମୁ ଘାଟିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାକୁ ନେଇ ଲାଗି ରହିଥିବା ଉତ୍ତେଜନା ଥମିବା ନାଁ ଧରୁନି । ଘଟଣାର ୮ ଦିନ ପରେ ବି ସୁଧୁରୁନି ସ୍ଥିତି । ପୋଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନରେ ପରିବାର ଲୋକେ ସନ୍ତୁଷ୍ଟ ନ ଥିବାରୁ ଏବେ ଏହାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ ।

ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଛି । ଏହି ମାମଲାର ତଦନ୍ତ କରିବେ ଡିଏସପି ରଜତ କୁମାର ରାୟ । ପୂର୍ବରୁ ଏହି ଘଟଣାର ତଦନ୍ତ କରି ୫ ପୋଲିସଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମାମଲାରେ ଗୋଛାପଡ଼ା ଥାନାର ଏସଆଇ ଓ ହାବିଲଦାର ନିଲମ୍ବିତ ହୋଇଥିବା ବେଳେ ଅବହେଳା ପାଇଁ ୩ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଛି । ଏହାପରେ ବି ପରିବାର ଲୋକ ତଥା ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ତେଜନା ଥମୁନି ।

ଗତ ୨୮ ତାରିଖରେ ଘାଟି ତଳୁ ଜ୍ୟୋଷ୍ଠ ବଣ୍ଡକି ନାମକ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସ୍‌ ପ୍ରଥମେ ଗାଡ଼ି ଧକ୍କା ଦେବା ପରେ ପିଟିପିଟି ମାରି ଘାଟି ତଳକୁ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ।

ମୃତକଙ୍କ ଭାଇ ଏବଂ ସାଲାଗୁଡ଼ା ସରପଞ୍ଚ କରିଥିବା ଅଭିଯୋଗ ଅନୁଯାୟୀ, ଗତ ୨୬ ତାରିଖରେ ଜ୍ୟୋଷ୍ଠ ବଣ୍ଡକି ଏବଂ ଦାସିରି ଦିଗାଲ ଗୋଟିଏ ବାଇକ୍‌ରେ କଣ୍ଟାମାଳ ଅଭିମୁଖେ ଯାଉଥିଲେ । ସେମାନେ ଗଞ୍ଜେଇ ନେଇ ଯାଉଥିବା ସନ୍ଦେହରେ ପୋଲିସ ପାଟ୍ରୋଲିଂ ଭ୍ୟାନ୍‌ ସେମାନଙ୍କ ପିଛା କରି ଡାଙ୍ଗଣାମୁ ଘାଟିରେ ଧକ୍କା ଦେଇଥିଲା ।

ଦୁର୍ଘଟଣା ପରେ ଦାସିରି ଦିଗାଲ ଘଟଣାସ୍ଥଳରୁ ଖସି ପଳାଇଥିଲେ । ମାତ୍ର ଜ୍ୟୋଷ୍ଠ ତଳେ ପଡ଼ି ଯାଇଥିବା ବେଳେ ଉପସ୍ଥିତ ପୋଲିସ୍‌ କର୍ମୀ ତାଙ୍କୁ ନିର୍ଧୂମ ପିଟିଥିଲେ । କିଛି ସମୟ ପରେ ସେ ମରି ଯାଇଥିବା ଭାବି ତାଙ୍କୁ ଘାଟି ତଳକୁ ଫୋପାଡ଼ି ଦେଇଥିଲେ । ଏହାପରେ ତାଙ୍କ ବାଇକକୁ ନେଇ ଥାନାକୁ ପଳାଇଥିଲେ । ଜ୍ୟୋଷ୍ଠଙ୍କ ହତ୍ୟା ପାଇଁ ପରିବାର ଲୋକେ ପୋଲିସ୍‌କୁ ଦାୟୀ କରି ଏହାର ନିରପେକ୍ଷ ତଦନ୍ତ ଦାବି କରିଥିଲେ ।