ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ଆୟୋଗଙ୍କ ପକ୍ଷରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଘଟଣା ସଂପର୍କରେ ଯିଏ ଜାଣିଥିବେ ବା କହିବାକୁ ଚାହୁଁଥିବେ, ସେମାନେ ସତ୍ୟପାଠ ଆକାରରେ ଦେଇ ପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଏଥିପାଇଁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ବିଜ୍ଞପ୍ତି ଜାରି କରିଛନ୍ତି ଆୟୋଗ ।
ବିଚାର ବିଭାଗୀୟ ତଦନ୍ତ କମିଶନ୍ ଅଧ୍ୟକ୍ଷ ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶ ଏହି ମାମଲାର ତଦନ୍ତ କରୁଛନ୍ତି । ଯେ କୌଣସି ବ୍ୟକ୍ତି, ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧି, ଯିଏ ବି ଏହି ମାମଲା ସମ୍ପର୍କରେ ପ୍ରତ୍ୟକ୍ଷ କିମ୍ୱା ପରୋକ୍ଷରେ ଅବଗତ ଅଛନ୍ତି, ସେମାନେ ସତ୍ୟପାଠ ଦାଖଲ କରିପାରିବେ । ସେହିପରି ସଚେତନ ନାଗରିକ, ପୂର୍ବତନ ପୋଲିସ ଅଧିକାରୀ, ଆଇନଜୀବୀ ପ୍ରମୁଖ କିଭଳି ଏଭଳି ଘଟଣାର ଆଗକୁ ପୁନରାବୃତ୍ତି ନହେବ ଏବଂ ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରି ହେବ ସେନେଇ ସତ୍ୟପାଠ ଜରିଆରେ ମତାମତ ଦେଇପାରିବେ ।
ଆଜିଠୁ ୨୧ ଦିନ ପର୍ଯ୍ୟନ୍ତ ସତ୍ୟପାଠ ଗ୍ରହଣ କରାଯିବ । ବିବୃତ୍ତି ଓ ମତାମତ ଗ୍ରହଣ ପାଇଁ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଆୟୋଗଙ୍କ କାର୍ଯ୍ୟାଳୟ ଫୋନ୍ ନମ୍ୱରରେ ଯୋଗାଯୋଗ କରି ହେବ । ସେହିପରି ସତ୍ୟପାଠ ଦ୍ୱାରା ବିବୃତ୍ତି ଓ ମତାମତ ଗ୍ରହଣ ପାଇଁ ଅଫିସ କାର୍ଯ୍ୟ ଦିବସ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।
ସୂଚନାଯୋଗ୍ୟ, ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନ ମାମଲାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଘଟଣାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି ।