ଭୁବନେଶ୍ବର: ଫଳ ବୋଝେଇ ଟ୍ରକରେ ୮୦୮ କିଲୋରୁ ଅଧିକ ଗଞ୍ଜେଇ । ଭୁବନେଶ୍ୱର ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାନ୍ତ କ୍ରିଷ୍ଣାଭରମରୁ ଧରିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) । ଘଟଣାରେ ଟ୍ରକ୍ ଡ୍ରାଇଭର ସମେତ ୩ ଜଣଙ୍କୁ ଗିରଫ କରାଯାଇଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟିଏ ୬୧ ଲକ୍ଷ ଟଙ୍କା ହେବ ।
ଫଳ ବୋଝେଇ ଟ୍ରକ୍ରେ ଗଞ୍ଜେଇ ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱର ଆସୁଥିବା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ କୌଣସି ସୂତ୍ରରୁ ଖବର ପାଇଥିଲା । ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଚୋରା ଚାଲାଣ କରାଯାଉଥିବା ଗଞ୍ଜେଇକୁ ଧରିବାକୁ ଜାଲ ବିଛାଇଥିଲା । ଗତକାଲି ରାତିରେ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାନ୍ତରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର କର୍ମଚାରୀମାନେ ଛକି ରହିଥିଲେ । ଏହି ସମୟରେ ଫଳ ବୋଝେଇ ଟ୍ରକଟି ସେହି ରାସ୍ତା ଦେଇ ଯାଇଥିଲା । ଏକ କାର୍ ତାକୁ ଏସ୍କର୍ଟ ଦେଇ ଆଣୁଥିଲା ।
ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର କର୍ମଚାରୀମାନେ ଗଞ୍ଜେଇ ଭର୍ତ୍ତି ଟ୍ରକ୍ ଓ କାର୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ସେମାନେ DRIର କର୍ମଚାରୀଙ୍କୁ ଦେଖି ଦ୍ରୁତ ଗତିରେ ଗାଡ଼ି ଚଲାଇଥିଲେ । ପରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର କର୍ମଚାରୀମାନେ ଟ୍ରକ୍ ଓ କାରକୁ ପିଛା କରିଥିଲେ । ଟ୍ରକ୍ଟି ଦ୍ରୁତ ଗତିରେ ଆସି ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା କ୍ରିଷ୍ଣାଭରମ୍ ଟୋଲଗେଟକୁ ଧକ୍କା ଦେଇଥିଲା । ପରେ କାରଟି ମଧ୍ୟ ସେଠାରେ ଅଟକି ଯାଇଥିଲା ।
କର୍ମଚାରୀମାନେ କାର୍ ଓ ଟ୍ରକ୍କୁ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଟ୍ରକ୍ ଓ କାରରୁ ପ୍ୟାକେଟ ପ୍ୟାକେଟ ଗଞ୍ଜେଇ ଜବତ କରିଥିଲେ । ପ୍ରାୟ ୮୦୮.୧୮ କେଜି ଗଞ୍ଜେଇ ଜବତ କରାଯାଇଥିଲା । DRI ପକ୍ଷରୁ କାର୍ ଓ ଫଳ ବୋଝେଇ ଟ୍ରକକୁ ଜବତ କରାଯାଇଛି ଓ ଘଟଣାର ତଦନ୍ତ କରାଯାଉଛି ।