ପୁରୀ: ଆଜି ଶ୍ରୀମନ୍ଦିରରେ ବସିବ ଛତିଶା ନିଯୋଗ ବୈଠକ । କାର୍ତ୍ତିକ ମାସର ନୀତିକାନ୍ତି ଓ ନାଟ ମଣ୍ଡପରେ ଏୟାରକଣ୍ଡିସନ ବ୍ୟବସ୍ଥା ନେଇ ବୈଠକରେ ଆଲୋଚନା ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟା ୩୦ରେ ବୈଠକ ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲାପାଳ, ପୁରୀ ଏସପିଙ୍କ ସମେତ ଛତିଶା ନିଯୋଗ ନାୟକ ଓ ସମସ୍ତ ନିଯୋଗର ସଭାପତି ଓ ସମ୍ପାଦକମାନେ ଯୋଗଦେବେ ।
ବାଳଧୂପ ନୀତିକାନ୍ତି କିଭଳି ସଠିକ ସମୟରେ ସମ୍ପନ୍ନ ହେବ ସେ ଉପରେ ଫୋକସ ରହିବ । ସେହିପରି ନାଟମଣ୍ଡପରେ ଏୟାରକଣ୍ଡିସନ ବ୍ୟବସ୍ଥା ସହ ରାମ୍ପ ସିଷ୍ଟମ ମାଧ୍ୟମରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଓବିସିସିକୁ ଦାୟୁତ୍ୱ ଦିଆଯାଇଥିଲା । ଓବିସିସି ପକ୍ଷରୁ ଏନେଇ ସ୍ୱତନ୍ତ୍ର ଡାଇଗ୍ରାମ କରାଯାଇଛି । ସେ ସମ୍ପର୍କରେ ବୈଠକରେ ଆଲୋଚନା ହେବ । ବିଶେଷକରି ନାଟମଣ୍ଡପ ପରିସରରେ ଥିବା ସମସ୍ତ ଆଲମିରାକୁ କିଭଳି କଢାଯିବ ଏବଂ କେଉଁ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ତା’ଉପରେ ମଧ୍ୟ ଆଲୋଚନା କରାଯିବ ।