ପୁରୀ: କଣାସ ଦେଇ ପ୍ରବାହିତ ରାଜୁଆ ନଦୀରେ ବୁଲୁଛି କୁମ୍ଭୀର । ଆଜି ସକାଳେ କୁମ୍ଭୀର ରାଜୁଆ ନଦୀରେ ବୁଲୁଥିବା ଦେଖି ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି । ତିରୁମଲରୁ ହଳଦିଆପଡା ଭିତରେ ଏହି କୁମ୍ଭୀରଟି ବୁଲୁଛି ।
ବିଶେଷକରି କଣାସ ଅଞ୍ଚଳର ଗ୍ରାମବାସୀ ରାଜୁଆ ନଦୀ ଉପରେ ନିର୍ଭର କରିଥାନ୍ତି । କୁମ୍ଭୀର ଥିବା ଜାଣିବା ପରେ ଗ୍ରାମବାସୀ ନଦୀ ଯିବାକୁ ଭୟ କରୁଛନ୍ତି । କୁମ୍ଭୀରକୁ ଶୀଘ୍ର ଧରିବା ଲାଗି ବନ ବିଭାଗ ନିକଟରେ ଦାବି ରଖିଛନ୍ତି ଗ୍ରାମବାସୀ ।
ଜଣେ ଗ୍ରାମବାସୀ କହିଛନ୍ତି, ରାଜୁଆ ନଦୀରେ କୂମ୍ଭୀର ବୁଲୁଥିବା ଆମେ ଆଜି ସକାଳେ ଦେଖିଲୁ । କୁମ୍ଭୀରଟି ନଦୀ ପଠାକୁ ଉଠି ଆସୁଛି । ଆମେ ଗ୍ରାମବାସୀ ରାଜୁଆ ନଦୀ ଉପରେ ନିର୍ଭର କରି ଚଳୁଛୁ । ପ୍ରତିଦିନ ଆମେ ରାଜୁଆ ନଦୀରେ ଗାଧୁଆ ପାଧୁଆ କରୁଛୁ । କୁମ୍ଭୀରଟି ଦୟା ନଦୀରୁ ରାଜୁଆକୁ ପଳାଇ ଆସିଥିବା ଅନୁମାନ କରାଯାଉଛି । ବନ ବିଭାଗ ପକ୍ଷରୁ କିଛି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଆମେ ଭୟଭୀତ ଅବସ୍ଥାରେ ଅଛୁ ।