ଗଞ୍ଜାମ: ଚଢ଼ାଉ ପାଇଁ ଯାଇଥିବା ବେଳେ ଅବକାରୀ କନଷ୍ଟେବଳଙ୍କୁ ନିର୍ଧୁମ ପିଟିଲେ ମଦ ମାଫିଆ । ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ । ମଦ ମାଫିଆଙ୍କ ଆକ୍ରମଣରେ ଅବକାରୀ କନଷ୍ଟେବଳ ସବ୍ୟସାଚୀ ମିଶ୍ର ଆହତ ହୋଇଛନ୍ତି । ତାଙ୍କ ଆଖିରେ ଗଭୀର ଆଘାତ ଲାଗିଛି ।
ଗତକାଲି ଭସାଣ ଉତ୍ସବ ଥିବାରୁ ବ୍ରହ୍ମପୁରରେ ସବୁ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଥିଲା । ହେଲେ ଟାଉନ ଥାନା ଟେଲିଫୋନ ଭବନ ଛକ ନିକଟରେ ଏକ ବନ୍ଦ ମଦ ଦୋକାନ ନିକଟରେ କିଛି ମଦ ମାଫିଆ ଏକ ବ୍ୟାଗରେ ମଦ ରଖି ବିକ୍ରି କରୁଥିବା ସବ୍ୟସାଚୀ ଖବର ପାଇଥିଲେ । ଘଟଣାସ୍ଥଳରେ ପହଞ୍ଚି କିଛ ମଦ ମାଫିଆ ଚୋରା ଦେଶୀ ମଦ ବିକ୍ରି କରୁଥିବା ଦେଖିଥିଲେ । ପରେ ଦୋକାନ ନିକଟରେ ଠିଆ ହୋଇ ନିଜ ମୋବାଇଲରେ ଭିଡିଓ ଉତ୍ତୋଳନ କରୁଥିଲେ । ଏହି ସମୟରେ ମଦ ମାଫିଆମାନେ ଅବକାରୀ କନଷ୍ଟେବଳଙ୍କୁ କାହିଁକି ଭିଡିଓ କରୁଛ କହି ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଜୀବନ ବିକାଳେ ସବ୍ୟସାଚୀ ସେଠାରୁ ଖସି ପଳାଇ ଆସିଥିଲେ ।
ଦୁର୍ବୃତ୍ତଙ୍କ ଆକ୍ରମଣରେ ସବ୍ୟସାଚୀଙ୍କ ଆଖି ପତ୍ତାରେ ଗଭୀର ଆଘାତ ଲାଗିଛି । ଏନେଇ ୫ ଜଣଙ୍କ ନାମରେ ଟାଉନ ଥାନାରେ ଅଭିଯୋଗ ହୋଇଥିବା ବେଳେ ଜଣଙ୍କୁ ଗିରଫ କରିଛି ପୋଲିସ ।