ଦ୍ବିତୀୟ ସ୍ତ୍ରୀ କଥାରେ ପଡ଼ି ଝିଅ ପେଟରେ ଛୁରୀ ଭୁସି ଦେଲା ବାପା


ମାଲକାନଗିରି: ବାପା ସାଜିଲା ଝିଅର ହତ୍ୟାକାରୀ । ଦ୍ବିତୀୟ ସ୍ତ୍ରୀ କଥାରେ ପଡ଼ି ନିଜ ୫ ବର୍ଷର ଝିଅ ପେଟରେ ଭୁସିଦେଲା ଛୁରୀ । ଏମିତି ଅଭିଯୋଗ କରିଛନ୍ତି, ମୃତ ଝିଅର ଜେଜେ ବାପା । ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତର RSC -14 ଗ୍ରାମରେ । ମୃତ ଝିଅଟି ହେଲା ବ୍ଲେଶି ରାଣୀ ଭତ୍ରା । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବାପା ସଞ୍ଜୀବ ଭତ୍ରା ଫେରାର ହୋଇଯାଇଛି ।

ଆଜି ସକାଳେ ରାଣୀ ପଡ଼ୋଶୀ ଘରେ ଖେଳୁଥିଲା । ଏହି ସମୟରେ ସଞ୍ଜୀବ ଏକ ଛୁରୀ ଆଣି ନିଜ ଝିଅ ପେଟରେ ଭୁସି ଦେଇଥିଲା । କୁନି ଝିଅର ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଝିଅଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ଝିଅଟିକୁ ମୃତ ଘୋଷଣା କରିଥିଲେ ।

ମୃତ ଝିଅର ଜେଜେ ବାପା ବିନୋଦ ଭତ୍ରା ଅଭିଯୋଗ କରଛନ୍ତି ଯେ, ମୋ ପୁଅ ତାର ଦ୍ୱିତୀୟ ସ୍ତ୍ରୀ କଥାରେ ପଡ଼ି ନିଜ ଝିଅକୁ ହତ୍ୟା କରିଛି । ହତ୍ୟାକାରୀକୁ କୋଠର ଦଣ୍ଡ ଦିଆଯାଉ । ପୋଲିସ ଘଟଣାର ତଦନ୍ତ କରିବା ସହ ସଞ୍ଜୀବଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ।