ପୁରୀ: ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ । ଶ୍ରୀମନ୍ଦିର ମଧ୍ୟରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ସ୍ଥିର ହୋଇଥିବା ବେଳେ ଏନେଇ ସହଯୋଗ ପ୍ରଦାନ କରିବାକୁ ଓମେଫେଡକୁ ଚିଠି ଲେଖି ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ ।
ଜଗନ୍ନାଥ ମନ୍ଦିର ଆବଶ୍ୟକତାକୁ ନଜରରେ ରଖି ଶ୍ରୀମନ୍ଦିର ପାଇଁ ଏକ ସ୍ୱତନ୍ତ୍ର ଡିପୋ ଖୋଲାଯିବା ସକାଶେ ଓମଫେଡ ପରିଚାଳନା ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟ ପ୍ରଶାସକ । ମୁଖ୍ୟ ପ୍ରଶାସକ ପତ୍ରରେ ଲେଖିଛନ୍ତି ଯେ, ଶ୍ରୀମନ୍ଦିର ମଧ୍ୟରେ ମହାପ୍ରସାଦ ପ୍ରସ୍ତୁତି ଏବଂ ଦୀପରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ସ୍ଥିର ହୋଇଛି । ଏନେଇ ସମ୍ପୃକ୍ତ ନିଯୋଗଗୁଡ଼ିକ ସହ ମଧ୍ୟ ଆଲୋଚନା ହୋଇ ସହମତି ପ୍ରକାଶ ପାଇଛି ।
ଶ୍ରୀମନ୍ଦିରରେ ଓମଫେଡ଼ ଘିଅର ଆବଶ୍ୟକତାକୁ ନଜରରେ ରଖି ଯଥେଷ୍ଟ ଘିଅ ମହଜୁଦ୍ ରଖିବାକୁ ପଦକ୍ଷେପ ଗ୍ରହଣ କରିବାକୁ ଓମଫେଡ଼କୁ ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ଡିପୋ କରାଗଲେ ଆବଶ୍ୟକତା ପୂରଣ ହେବା ସହ ଅପମଶ୍ରିତ ଘିଅକୁ ମଧ୍ୟ ରୋକାଯାଇ ପାରିବ ବୋଲି ମୁଖ୍ୟ ପ୍ରଶାସକ ଗୁରୁତ୍ୱାରୋପ କରିଛନ୍ତି । ଏଥିସହିତ ଘିଅ ଦର ମଧ୍ୟ ହ୍ରାସ କରାଯିବାକୁ ବିଭିନ୍ନ ନିଯୋଗ ପକ୍ଷରୁ ହୋଇଥିବା ଅନୁରୋଧକୁ ଗ୍ରହଣ କରିବାକୁ ପତ୍ରରେ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି ।
ଅନ୍ୟପକ୍ଷରେ ଶ୍ରୀମନ୍ଦିର ମଧ୍ୟକୁ ଓମଫେଡ ବ୍ୟତୀତ ଯେପରି ଅନ୍ୟ କୌଣସି ଘିଅ ପ୍ରବେଶ ନ କରେ, ସେଥିପ୍ରତି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ । ବରିଷ୍ଠ ସୁପରଭାଇଜର ଏବଂ କମାଣ୍ଡର ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ କୌଣସି ପ୍ରକାର ବ୍ୟତିକ୍ରମକୁ ବରଦାସ୍ତ କରାଯିବ ନାହିଁ । ଏଣିକି ଅନ୍ୟ ଛାପ ଘିଅ ଶ୍ରୀମନ୍ଦିରକୁ ନେବାକୁ ଚେଷ୍ଟା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ ସତର୍କ କରି ଦେଇଛନ୍ତି ।
ସୂଚନାଯୋଗ୍ୟ, ତିରୁପତି ବାଲାଜୀ ମନ୍ଦିରର ଲଡୁ ମାଛ ତେଲ, ଘୁଷୁରି ଓ ଗୋରୁ ଚର୍ବିର ଅପମିଶ୍ରଣରେ ପ୍ରସ୍ତୁତ ହେଉଥିବା ଅଭିଯୋଗ ଆସିବା ପରେ ପୁରୀ ମନ୍ଦିରରୁ ମିଳୁଥିବା ମହାପ୍ରସାଦରେ ବ୍ୟବହୃତ ଘିଅର ଶୁଦ୍ଧତାକୁ ନେଇ ପ୍ରଶ୍ନ ଉଠିଥିଲା ।