ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ସୈନିଙ୍କ ଶପଥ ସହ ଏନଡିଏ କରିବ ଶକ୍ତି ପ୍ରଦର୍ଶନ


ନୂଆଦିଲ୍ଲୀ: ଆଜି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାଏବ ସିଂହ ସୈନି । ଏହା ସହ ଦ୍ବିତୀୟ ଥର ହରିୟାଣାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି, ଆଉ ରାଜ୍ୟରେ ବିଜେପିର ତୃତୀୟ ପାଳି ସରକାର ହେବାକୁ ଯାଉଛି । ପଞ୍ଚକୁଳାସ୍ଥିତ ସେକ୍ଟର ୫ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଯୋଗଦେବେ । ସେହିପରି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀମାନେ ମଧ୍ୟ ସୈନିଙ୍କ ଶପଥ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଅକ୍ଟୋବର ୫ରେ ହରିୟାଣା ନିର୍ବାଚନ ପରେ ୮ରେ ଭୋଟ୍ ଗଣତି ହୋଇଥିଲା । ସମସ୍ତ ଏଗଜିଟ୍ ପୋଲର ଆକଳନକୁ ଭୁଲ୍ ପ୍ରମାଣିତ କରି ବିଜେପି ଲଗାତାର ତୃତୀୟ ଥର ପାଇଁ ଐତିହାସିକ ବିଜୟ ହାସଲ କରିଥିଲା । ରାଜ୍ୟର ମୋଟ ୯୦ ଆସନରୁ ବିଜେପିକୁ ୪୮ଟି ଆସନ ମିଳି ଥିବାବେଳେ କଂଗ୍ରେସ ମାତ୍ର ୧୧ରେ ସୀମିତ ରହିଥିଲା । ଫଳରେ ବହୁମତ ସହ ଦଳ ଲଗାତାର ତୃତୀୟ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି ।

ସେପଟେ, ଆଜି ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବ ପରେ ପରେ ଶକ୍ତି ପ୍ରଦର୍ଶନ କରିବ ବିଜେପି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ନେତାମାନଙ୍କୁ ନେଇ ଦଳ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ବିଜେପି ନେତୃତ୍ୱାଧୀନ ଏନଡିଏର ସଦସ୍ୟ ଦଳର ମୁଖିଆମାନେ ମଧ୍ୟ ଯୋଗଦେବେ । ଆଗକୁ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ନିର୍ବାଚନ ଥିବାରୁ ଦଳ ଏହା ଉପରେ ମାନସ ମନ୍ଥନ କରିବା ନେଇ ଚର୍ଚ୍ଚା ହେଉଛି । ସେହିପରି ଦଳ ମଧ୍ୟ ଅନ୍ୟ ଅନ୍ୟାନ୍ୟ ଦିଗ ଉପରେ ଆଲୋଚନା କରିପାରେ ।