ଘରେ ପଶି ଆକ୍ରମଣ କରୁଥିବା ବାରହାକୁ ତାଲା ପକାଇଲେ ଲୋକେ


ଅନୁଗୁଳ: ଘରେ ପଶି ଦୁଇ ଜଣଙ୍କୁ ଅତର୍କିତ ଆକ୍ରମଣ କଲା ବାରହା । ଗୁରୁତରଙ୍କ ମଧ୍ୟରେ ଜଣେ ବୃଦ୍ଧା ଓ ଜଣେ ନାବାଳକ ଅଛନ୍ତି । ଏପରି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ତାଳଚେରରେ । ଗୁରୁତର ଦ୍ୱୟ ହେଲେ ୬୦ ବର୍ଷୀୟା ଚତୁରୀ ନାଏକ ଏବଂ ୧୦ ବର୍ଷୀୟ ରାଜା ନାଏକ । ଉଭୟ ପଡ଼ୋଶୀ ବୋଲି ଜଣାଯାଇଛି ।

ଆଜି ସକାଳେ ଚତୁରୀ ଘରେ ନିଜ କାମ କରୁଥିବା ବେଳେ ହଠାତ୍‌ ଏକ ବାରହା ତାଙ୍କ ଘରେ ପଶି ଯାଇଥିଲା । ଏହାପରେ ବାରହାଟି ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲା । ଚତୁରୀଙ୍କ ଚିତ୍କାର ଶୁଣି ପରିବାର ଲୋକେ ଦୌଡ଼ି ଆସିବାରୁ ବାରହାଟି ନିକଟରେ ଥିବା ରାଜା ନାଏକଙ୍କ ଘରେ ପଶି ତାଙ୍କୁ କାମୁଡ଼ି ଦେଇଥିଲା ।

ଏହି ସମୟରେ ଲୋକେ ଏକତ୍ରିତ ହୋଇ ବାରହାଟିକୁ କାବୁ କରି ଏକ ଘର ଭିତରେ ତାଲା ପକାଇ ଦେଇଛନ୍ତି । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ବନ କର୍ମଚାରୀ ପହଞ୍ଚି ନ ଥିବା ଜଣାଯାଇଛି । ଗୁରୁତର ଅବସ୍ଥାରେ ତୁରନ୍ତ ଉଭୟ ଚତୁରୀ ଓ ରାଜାଙ୍କୁ ତାଳଚେର ମଣ୍ଡପାଳସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ଉଭୟଙ୍କ ଚିକିତ୍ସା ଚାଲିଛି ।