ଏଲିଫ୍ୟାଣ୍ଟ ସ୍କ୍ବାର୍ଡ କର୍ମଚାରୀଙ୍କୁ ଟେକି କଚାଡ଼ ମାରିଦେଲା ହାତୀ


କେନ୍ଦୁଝର: ହାତୀ ଘଉଡାଇବାକୁ ଯାଇଥିବା ଏଲିଫ୍ୟାଣ୍ଟ ସ୍କ୍ବାର୍ଡ କର୍ମଚାରୀଙ୍କୁ କଚାଡି ମାରିଦେଲା ହାତୀ । ଏପରି ଘଟଣା ଘଟିଚି କେନ୍ଦୁଝର ଜିଲ୍ଲାରେ । ମୃତକ ହେଲେ ଗୋବିନ୍ଦପୁର ଗ୍ରାମର ବସନ୍ତ ମହାନ୍ତ । ବସନ୍ତ ଅନ୍ୟ କର୍ମଚାରୀଙ୍କ ସହ ହାତୀ ଘଉଡାଉଥିବା ବେଳେ ହାତୀ ପଲ ସେମାନଙ୍କୁ ପାଲଟା ଗୋଡ଼ାଇଥିଲେ । କର୍ମଚାରୀମାନେ ଛତ୍ରଭଙ୍ଗ ଦେଇ ଯିଏ ଯୁଆଡେ ଦୌଡ଼ିବାକୁ ଲାଗିଥିଲେ । ହେଲେ ବସନ୍ତ ହାତୀ ପଲ ହାବୁଡ଼ରେ ପଡ଼ି ଯାଇଥିଲେ । ଗୋଟିଏ ହାତୀ ବସନ୍ତୁ ଶୁଣ୍ଢରେ ଉଠାଇ ନେଇ କଚାଡି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲାର ସଦର ରେଞ୍ଜ ନରଣପୁର ସେକ୍ସନର ଝାରବେଡ଼ ଗ୍ରାମ ନିକଟରେ ୭ ଟିକିଆ ହାତ ପଲ ବିଲରେ ପଶି ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଥିଲା । ଖବର ପାଇ ଗତକାଲି ରାତିରେ ବନ ବିଭାଗ କର୍ମଚାରୀ ଓ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀ ସେଠାରେ ପହଞ୍ଚିଥିଲେ ।

ସେମାନେ ହାତୀକୁ ଘଉଡାଉ ଥିବାବେଳେ ହଠାତ ଏକ ଦନ୍ତା ହାତୀ ଗୋଠରୁ ଅଲଗା ହୋଇ ବନକର୍ମଚାରୀଙ୍କୁ ଗୋଡ଼ାଇ ଥିଲା । ଏହାଦେଖି ସମସ୍ତ କର୍ମଚାରୀ ଦୌଡ଼ି ପଳାଇଥିବା ବେଳେ ବସନ୍ତ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ । ଖବର ପାଇ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମୃତଦେହକୁ ବ୍ୟବଚ୍ଛଦ ପାଇଁ ପଠାଯାଇଛି । ବସନ୍ତ ଦୀର୍ଘ ଦିନ ହେବ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜେ ଗ୍ରହଣ କରି ପାରୁ ନଥିବା ବେଳେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।