ଆସୁଛି ବାତ୍ୟା ‘ଦାନା’: ପୁରୀ ଛାଡୁଛନ୍ତି ପର୍ଯ୍ୟଟକ


ପୁରୀ: ସମ୍ଭାବ୍ୟ ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳ, ବିଶେଷ କରି ପୁରୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିପାରେ । ତେଣୁ ଶୀଘ୍ର ଶୀଘ୍ର ପୁରୀ ଛାଡି ନିଜ ନିଜ ଘରକୁ ଫେରୁଛନ୍ତି ପର୍ଯ୍ୟଟକ । ଆଜି କିଛି ପର୍ଯ୍ୟଟକ ପୁରୀ ଛାଡ଼ିଥିବା ବେଳେ ଅନ୍ୟମାନେ ୨୩ ତାରିଖ ପୂର୍ବରୁ ନିଜ ଘରକୁ ପଳାଇବାକୁ ପରାମର୍ଶ ଦିଆଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀରୁ ପର୍ଯ୍ୟଟକମାନଙ୍କୁ ଫେରିଯିବାକୁ ଗତକାଲି ରାଜ୍ୟ ସରକାର ପରାମର୍ଶ ଦେଇଥିଲେ । ଏଥିସହ ବାତ୍ୟା ଆଶଙ୍କା ଦୂର ନ ହେବା ପର୍ଯ୍ୟନ୍ତ ପୁରୀକୁ ଯେଭଳି ପର୍ଯ୍ୟଟକମାନେ ନ ଆସିବେ ଜିଲ୍ଲାପାଳ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି କୁହାଯାଇଥିଲା । ଯେଉଁମାନେ ବାହାରୁ ଆସିଛନ୍ତି ସେମାନେ ତୁରନ୍ତ ପୁରୀ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।  ଆଜି ସକାଳେ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକମାନେ ପୁରୀରୁ ପଳାଇଯାଇଛନ୍ତି ।

ସୂଚନାଯୋଗ୍ୟ, ସମ୍ଭାବ୍ୟ ବାତ୍ୟା ‘ଦାନା’ ଆଜି ସକାଳେ ଅବପାତରେ ପରିଣତ ହୋଇଛି । ଆସନ୍ତାକାଲି ଏହା ବାତ୍ୟାର ରୂପ ନେବ । ପରେ ଏହା ଭୀଷଣ ବାତ୍ୟାର ରୂପ ନେଇ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାର ପ୍ରଭାବରେ ଉପରୋକ୍ତ ୧୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ‘ଦାନା’ ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ଓ ଝଟକା ପବନ ବେଗ ୧୨୦ କିଲୋମିଟର ଛୁଇଁପାରେ ବୋଲି ପୂର୍ବାନୁମାନ କରାଯାଇଛି ।