ବାତ୍ୟା ‘ଦାନା’ର ରୂପ ନେଲା ଅବପାତ


ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ନେଲା ବାତ୍ୟା ‘ଦାନା’ର ରୂପ । ବାତ୍ୟାଟି ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୮ କିମି ବେଗରେ ଗତି କରୁଛି । ପାରାଦୀପ ରାଡାର ଇମେଜରେ ବାତ୍ୟାର ଚିତ୍ର ଦୃଶ୍ୟମାନ ହୋଇଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବେ ଗଭୀର ଅବପାତଟି ଆଜି ସକାଳେ ବାତ୍ୟାରେ ପରିଣତ ହୋଇଛି । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଆଗକୁ ବଢୁଛି । ବାତ୍ୟାଟି ପାରାଦୀପଠୁ ୫୬୦ ଓ ସାଗରଦ୍ୱୀପରୁ ୬୩୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି ।

ଆସନ୍ତାକାଲି ଏହା ଭୀଷଣ ବାତ୍ୟାରେ ପରିଣତ ହୋଇ ଓଡ଼ିଶାର ପୁରୀ ଏବଂ ପଶ୍ଚିମବଙ୍ଗର ସାଗରଦ୍ୱୀପ ମଧ୍ୟରେ ଆସନ୍ତାକାଲି ରାତି କିମ୍ବା ୨୫ ପାହାନ୍ତା ଭିତରେ ଉପକୂଳ ଅତିକ୍ରମ କରିବ । ତେବେ ପ୍ରକୃତ ଲ୍ୟାଣ୍ଡଫଲ୍ ସ୍ଥଳ ଏଯାଏଁ ସ୍ପଷ୍ଟ କରିନି ଆଇଏମଡି ।

ଭୀଷଣ ବାତ୍ୟା ଉପକୂଳ ଅତିକ୍ରମ ବେଳେ ପବନର ବେଗ ୧୦୦ରୁ ୧୨୦ ମଧ୍ୟରେ ରହିବ । ବାତ୍ୟାର ପ୍ରଭାବ ଉତ୍ତର ଓଡ଼ିଶା ଉପରେ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୭ଟି ଜିଲ୍ଲାରେ ଆସନ୍ତାକାଲି ଓ ପରଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ଗୋପାଳପୁର, ପାରାଦୀପ ଓ ଧାମରା ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ବି ଜାରି ହୋଇଛି ।