ଭିତରକନିକାରୁ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ଦାନା’


ଭୁବନେଶ୍ବର: ବାତ୍ୟାର ରୂପ ନେବା ପରେ ଗଭୀର ସମୁଦ୍ର ମଧ୍ୟରେ ଦାନା ବାନ୍ଧୁଛି ‘ଦାନା’ । ବଳ ଗୋଟାଇବା ସହ ଉପକୂଳ ଆଡ଼କୁ ମାଡ଼ି ଆସୁଛି । ଆସନ୍ତାକାଲି ଭୀଷଣ ବାତ୍ୟାର ରୂପ ନେଇ ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ଲ୍ୟାଣ୍ଡଫଲ କରିବ । ତାଜା ଅପଡେଟରେ ବାତ୍ୟାର ଲ୍ୟାଣ୍ଡଫଲ ସ୍ଥଳ ଭିତରକନିକାରୁ ଧାମରା ମଧ୍ୟରେ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ବାତ୍ୟା ଦାନା ୧୫ କି.ମି. ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ପାରାଦୀପଠୁ ୫୨୦ ଓ ସାଗର ଦ୍ୱୀପଠାରୁ ୬୦୦ କିମି ଦୂରରେ ରହିଛି । ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ୨ରୁ ୩ ମିଟର ଉଚ୍ଚର ଜୁଆର ମାଡ଼ି ଆସିବାର ସମ୍ଭାବନା ରହିଛି ।

ଉମାଶଙ୍କର ଦାଶ ଆହୁରି କହିଛନ୍ତି, ୨୪ ଓ ୨୫ ତାରିଖରେ ବାତ୍ୟାର ପ୍ରଭାବ ଅଧିକ ରହିବ । ୨୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆଜି ସନ୍ଧ୍ୟାଠୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ । ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ପୁରୀ, ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏହି ସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ପ୍ରବଳ ବର୍ଷିବ, ଜଳମଗ୍ନ କରିବ

ଆସନ୍ତାକାଲି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର କିଛି କିଛି ସ୍ଥାନରେ ୭ରୁ ୨୦ ସେମି ବର୍ଷା ହେବାର ସମ୍ଭାବନା ରହିଛି । ଆଉ କିଛି ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ଢେଙ୍କାନାଳ, କଟକ ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୨୪ ଓ ୨୫ ତାରିଖରେ ବର୍ଷାର ବସ୍ତୁତି ବଢ଼ିବ । ୨୬ ତାରିଖରୁ ବର୍ଷାର ମାତ୍ରା କମିବ । ହେଲେ ୨୬ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ କହିଛନ୍ତି ।

ଆଗକୁ ସେ କହିଛନ୍ତି, ଆଜି ସନ୍ଧ୍ୟାରେ ଉପକୂଳ ଓଡ଼ିଶାରେ ପବନର ବେଗ ଧୀରେ ଧୀରେ ବୃଦ୍ଧି ପାଇବ । ୨୪ ଓ ୨୫ ତାରିଖରେ ଅଧିକ ପବନ ହେବ । ବାତ୍ୟା ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ ରହିବ । ପବନ ବେଗ ଅଧିକ ରହୁଥିବାରୁ ଗଛ ଉପୁଡ଼ିବା ସହ ବିଦ୍ୟୁତ ସେବା ପ୍ରଭାବିତ ହେବାର ସମ୍ଭାବନା ରହିଛି । ମାଟି ଘର ଭାଙ୍ଗିବା ସହ ଧାନ ଚାଷ କ୍ଷତି ହେବାର ସମ୍ଭାବନା ରହିଛି ।

୨୫ ତାରିଖ ଯାଏଁ ସମୁଦ୍ରକୁ ଯିବା ମନା

ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରୁ ଫେରି ଆସିବାକୁ କୁହାଯାଇଛି । ୨୫ ତାରିଖ ଯାଏଁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଏଥିସହ ପୁରୀ, ପାରାଦୀପ ଓ ଧାମରାକୁ ୪ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।  ସେହିପରି ଗୋପାଳପୁର ବନ୍ଦରକୁ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।