ବୁର୍ଲା ଏମସିଏଲ ପକ୍ଷରୁ କରଡୋଳା ଗ୍ରାମରେ ଦୁର୍ନୀତି ନିବାରଣ ସଚେତନତା ଶିବିର


ଚିପିଲିମା, ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପ୍ରତିବର୍ଷ ଅକ୍ଟୋବର ୨୮ ରୁ ନଭେମ୍ବର ୩ ମଧ୍ୟରେ ପାଳନ କରାଯାଉଥିବାବେଳେ ୨୩ତାରିଖ ବୁଧବାର ବୁର୍ଲା ଏମସିଏଲ ପକ୍ଷରୁ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା କରଡୋଳା ଗ୍ରାମରେ ଏକ ଦୁର୍ନୀତି ନିବାରଣ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କରଡୋଳା ଗ୍ରାମରେ ବୁର୍ଲା ଏମସିଏଲ ଆନୁକୂଲ୍ୟରେ ତଥା ଏଥେଲେଟିକ ଆସୋସିଏସନର ସହଯୋଗରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଥିବାବେଳେ,ବୁର୍ଲା ଏମସିଏଲ ପକ୍ଷରୁ ଦୁର୍ନୀତି ନିବାରଣ ମୁଖ୍ୟ ଜିଏମ ଏମ.ଏମ ସରୋବର, ମାଇନିଙ୍ଗ ଜିଏମ ଭି. ଏସ ତନୈୟା, ଇ ଆଣ୍ଡ ଏମ ସିଏମ ଡି. ସେଠି, ସ୍ଥାନୀୟ ସରପଞ୍ଚ ଗୋରେଖ ରାଉତ,କରଡୋଳା ସ୍କୁଲ ଶିକ୍ଷକ ଯାଦବ ନାୟକ, କ୍ଲବ ସଭାପତି ସୁଧାଂଶୁ ଶେଖର ପାଣିଗ୍ରାହୀ ପ୍ରମୁଖ ମଂଚାସୀନ ଅତିଥି ଥିଲେ l ବର୍ତ୍ତମାନ ସାରା ଦେଶରେ ଦୁର୍ନୀତି ଭ୍ରଷ୍ଟାଚାର ବଢ଼ିବଢ଼ି ଚାଲିଥିବାବେଳେ, ଏହାକୁ ରୋକିବା ଜରୁରୀ ହୋଇପଡ଼ିଥିବାବେଳେ ଏବଂ ଏହି ସଂକ୍ରମଣକୁ ରୋକିବାକୁ ସଚେତନତା ଜରୁରୀ ବୋଲି ଅତିଥିମାନେ ସୂଚନା ଦେଇଥିଲେ l ପରେ “ଆମେ ଦୁର୍ନୀତି କରିବା ନାହିଁ କି ଦୁର୍ନୀତି କରେଇଦେବା ନାହିଁ “ବୋଲି ଏକ ଶପଥପାଠ ଅନୁଷ୍ଠିତ ହୋଇଥିଲା lରାଷ୍ଟ୍ରରେ ସତ୍ୟନିଷ୍ଠାର ସଂକୃତି ବଜାୟ ରହିଲେ ରାଷ୍ଟ୍ରର ବିକାଶ ସମ୍ଭବ ବୋଲି ବୋଲି ଏମସିଏଲ ଭିଜିଲାସନ୍ସ ମୁଖ୍ୟ ଅଧିକାରୀ ଏମ. ଏମ ସରୋବର କହିଥିଲେ l ପରେ ସମ୍ବଲପୁର ଅଦୃଶ୍ୟ ନାଟ୍ୟ ଆଶ୍ରମ ଦ୍ୱାରା ଦୁର୍ନୀତି ନିବାରଣ ସଚେତନତା ଉଦ୍ଧେଶ୍ୟ ନେଇ ଏକ ପଥପ୍ରାନ୍ତ ନାଟକ ସୁନ୍ଦର ଭାବରେ ପ୍ରଦର୍ଶିତ ହୋଇଥିଲା l ଆୟୋଜିତ କାର୍ଯ୍ୟକ୍ରମ ରେ ଗାଁର ଏସଏଚଜି ମାତୃଶକ୍ତି,ସ୍କୁଲ ଛାତ୍ରଛାତ୍ରୀ,ମାନ୍ୟଗଣ୍ୟ ବ୍ୟକ୍ତି ତଥା ଜନସାଧାରଣ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ଏଥେଲେଟିକ ଆସୋସିଏସନର ସଭାପତି ସୁଧାଂଶୁ ଶେଖର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହାପରେ ଉପସ୍ଥିତ ଜନସାଧାରଣଙ୍କ ପାଇଁ ଭୋଜନର ସୁବ୍ୟବସ୍ଥା ହୋଇଥିଲା l ଗ୍ରାମରେ ଏପରି ଏକ କାର୍ଯ୍ୟକ୍ରମକୁ ସଚେତନ ମହଲରେ ସ୍ୱାଗତ କରାଯାଇଛି l ସମସ୍ତ କାର୍ଯ୍ୟକ୍ରମରେ ଏଥେଲେଟିକ ଆସୋସିଏସନର ସମସ୍ତ କର୍ମକର୍ତ୍ତା ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l