ଲ୍ୟାଣ୍ଡଫଲ ପରେ ଗତପଥରେ ସାମାନ୍ୟ ପରିବର୍ତ୍ତନ କରିବ ବାତ୍ୟା ‘ଦାନା’


ଭୁବନେଶ୍ବର: ବିକଟାଳ ରୂପ ନେଇ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ଦାନା’ । ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ କରିବ ଲ୍ୟାଣ୍ଡଫଲ୍‌ । ମାତ୍ର ଲ୍ୟାଣ୍ଡଫଲ୍ ପରେ ଏହାର ଗତିପଥ ସାମାନ୍ୟ ରିକର୍ଭ (ପରିବର୍ତ୍ତନ) ହୋଇପାରେ । ଆଜି ଏପରି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ।

ଆଇଏମଡିର ପୂର୍ବ ଆକଳନ ଅନୁସାରେ ମାଡ଼ି ଆସୁଛି ବାତ୍ୟା ‘ଦାନା’ । ଆଇଏମଡି ପୂର୍ବାନୁମାନ କରିଥିବା ସ୍ଥାନରେ ସ୍ଥଳଭାଗ ଛୁଇଁବ ବାତ୍ୟା । ମାତ୍ର ଲ୍ୟାଣ୍ଡଫଲ୍ ପରେ ଗତିପଥରେ ସାମାନ୍ୟ ରିକର୍ଭ କରିପାରେ ।  

ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ମନୋରମା ମହାନ୍ତି କହିଛନ୍ତି, ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଦାନା ଏବେ ପାରାଦୀପଠାରୁ ୨୬୦ କିଲୋମିଟର ଦକ୍ଷିଣ ପୂର୍ବ ଓ ଧାମରାରୁ ୨୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ, ସାଗର ଦ୍ୱୀପଠାରୁ ୩୫୦ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ରହିଛି । ଏହା ବର୍ତ୍ତମାନ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଗତ ୬ ଘଣ୍ଟା ଧରି ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଛି ।

ସେ କହିଛନ୍ତି, ବାତ୍ୟାର ଗତିପଥ ଯାହା ଥିଲା, ତାହା ରହିଛି । ବାତ୍ୟା ‘ଦାନା’ ଅତି ଭୀଷଣ ରୂପ ନେଇ ଆଜି ରାତିରୁ ଆସନ୍ତାକାଲି ସକାଳ ମଧ୍ୟରେ ଭିତରକନିଆ ଓ ଧାମରା ପାଖାପାଖି ଅତିକ୍ରମ କରିବ । ଲ୍ୟାଣ୍ଡଫଲ୍‌ ପରେ ଏହା ସାମାନ୍ୟ ପଶ୍ଚିମ ପଶ୍ଚିମ-ଦକ୍ଷିଣ ଦିଗକୁ ରିକର୍ଭ କରିପାରେ । 

ଲ୍ୟାଣ୍ଡଫଲ୍ ବେଳେ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିମି ରହିପାରେ ବୋଲି ଆକଳନ କରାଯାଇଛି । ତା’ସହ ସମୁଦ୍ରରେ ଉଚ୍ଚ ଜୁଆର ଆସିବା ସହ ଗଛ, ବିଦ୍ୟୁତ୍ ଖୁଣ୍ଟ ଓ କଚା ଘରକୁ ବାତ୍ୟା ବିପଦ ପହଞ୍ଚାଇବାର ଆଶଙ୍କା ରହିଛି । ଏହା ପ୍ରଭାବରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବର୍ଷା ହେବ ।

ଲ୍ୟାଣ୍ଡଫଲ୍ ବେଳେ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିପାରେ ବୋଲି ଆକଳନ କରାଯାଇଛି । ତା’ସହ ସମୁଦ୍ରରେ ଉଚ୍ଚ ଜୁଆର ଆସିବା ସହ ଗଛ, ବିଦ୍ୟୁତ୍ ଖୁଣ୍ଟ ଓ କଚା ଘରକୁ ବାତ୍ୟା ବିପଦ ପହଞ୍ଚାଇବାର ଆଶଙ୍କା ରହିଛି । ପ୍ରଭାବରେ ଗତକାଲିଠୁ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । 

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ ଯାଜପୁର, କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଏହି ସବୁ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, କେନ୍ଦୁଝରର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଝାରସୁଗୁଡ଼ା ଏବଂ ସମ୍ବଲପୁର  ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଆସନ୍ତାକାଲି ପାଇଁ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ପାଇଁ ରେଡ ଆଲର୍ଟ ଜାରି କରାଯାଇଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପୁରୀ, ଖୋର୍ଦ୍ଧା, ଦେଓଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ନୟାଗଡ଼ ଓ ବୌଦ୍ଧ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୬ ତାରିଖରେ ମାଲକାନଗିରି, କୋରାପୁଟ, କଳାହାଣ୍ଡି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।