ତାଣ୍ଡବ ରଚିବ ବାତ୍ୟା ‘ଦାନା’: ୨ ଶହ ଟ୍ରେନ ବାତିଲ


ଭୁବନେଶ୍ବର: ଭୟଙ୍କର ରୂପ ନେଉଛି ବାତ୍ୟା ‘ଦାନା’ । ସମୁଦ୍ର ଭିତରେ ଗୋଟାଉଛି ବଳ । ସମୟ ଗଡ଼ିବା ସହ ‘ଦାନା’ ଦାନା ବାନ୍ଧିବାରେ ଲାଗିଛି । ବାତ୍ୟା ପାଇଁ ରେଳ ବିଭାଗ ସମ୍ପୂର୍ଣ୍ଣ ଆଲର୍ଟ ମୁଡରେ ରହିଛି । ରିଲିଫ ଅପରେସନ, ଯାତ୍ରୀ ସୁରକ୍ଷା, ଭିତ୍ତିଭୂମି ପୁନଃଉଦ୍ଧାର ପାଇଁ ରେଳ ବିଭାଗ ପ୍ରସ୍ତୁତ । ବାତ୍ୟା ପରେ ପୂର୍ବ ଉପକୂଳରେ ତୁରନ୍ତ ରେଳସେବାକୁ ପୁନଃଉଦ୍ଧାର ପାଇଁ ୯ଟି ୱାରରୁମ କାର୍ଯ୍ୟକାରୀ କରାଯାଇଛି । ସମସ୍ତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ହେଲପ ଡେସ୍କ ଖୋଲାଯାଇଛି ।

ଆଜିଠୁ ୩ ଦିନ ପର୍ଯ୍ୟନ୍ତ ଉଭୟ ଅପ୍ ଓ ଡାଉନ୍ ଲାଇନ୍‌ରେ ୨ ଶହରୁ ଅଧିକ ଟ୍ରେନ୍ ବାତିଲ କରାଯାଇଛି ।

ପୁରୀ ପାଇଁ ୮୯୨୬୧ – ୦୦୩୫୬, ଖୋର୍ଦ୍ଧାରୋଡ ଲାଗି ୮୯୨୬- ୧୦୦୨୧୫, ଭୁବନେଶ୍ୱର ପାଇଁ ୮୧୧୪୩-୮୨୩୭୧, କଟକ ପାଇଁ ୮୧୧୪୩-୮୨୩୫୯, ପାରାଦୀପ ପାଇଁ ୮୧୧୪୩- ୮୮୩୦୨, ଯାଜପୁର କେନ୍ଦୁଝରରୋଡ଼ ପାଇଁ ୮୧୧୪୩୮୨୩୪୨, ଭଦ୍ରକ ପାଇଁ ୮୧୧୪୩୮୨୩୦୧ ହେଲ୍ପ ଲାଇନ ନମ୍ବର ଜାରି ହୋଇଛି ।

ବାତ୍ୟା ଦାନାର ମୁକାବିଲା ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସମୀକ୍ଷା କରିଛନ୍ତି । ରେଳମନ୍ତ୍ରୀ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ହୋଇଥିବା ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ବିଭାଗ ପକ୍ଷରୁ ସର୍ବନିମ୍ନ ବ୍ୟାଘାତ ସହ ସର୍ବାଧିକ ପ୍ରସ୍ତୁତିକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭର୍ଚୁଆଲ ସମୀକ୍ଷାରେ ଖୋର୍ଦ୍ଧାରୁ ଖଡ଼ଗପୁର ଡିଆରଏମ୍‌ଙ୍କ ସହ ରେଳ ବିଭାଗ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ । ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ବାତ୍ୟା ବେଳେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଗୁଆ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି ।