ହବାଳିଖଟିରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଦାନା’


ଭୁବନେଶ୍ବର: ଭୟଙ୍କର ରୂପ ନେଇ ସ୍ଥଳଭାଗ ଅତିକ୍ରମ କରୁଛି ବାତ୍ଯା ‘ଦାନା’ । ଜାରି ରହିଛି ଭୀଷଣ ବାତ୍ଯାର ଲ୍ଯାଣ୍ଡଫଲ୍ ପ୍ରକ୍ରିୟା । ହବାଳିଖଟିରେ ସ୍ଥଳଭାଗ ଛୁଇଁଲା ବାତ୍ଯା ‘ଦାନା’ । ରାତି ୧୨ଟା ୫ ମିନିଟରେ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ । ଆଉ ପ୍ରାଏ ଘଣ୍ଟାଏ ଭିତରେ ସରିବ ଲ୍ଯାଣ୍ଡଫଲ୍ ପ୍ରକ୍ରିୟା ।
ବାତ୍ୟା ‘ଦାନା’ ଭିତରକନିକାରେ ତାଣ୍ଡବ ରଚୁଛି । ଉଗ୍ରରୂପ ଧାରଣ କରିଛି ସମୁଦ୍ର । ପ୍ରାୟ ୩ ମିଟରର ଜୁଆର ସମୁଦ୍ରରେ ଉଠୁଛି । ଘଣ୍ଟାପ୍ରତି ୧୦୦ରୁ ୧୨୦ କି.ମି. ବେଗରେ ପବନ ବୋହିଛି ।
ବାତ୍ୟା ପ୍ରଭାବରେ ବିଭିନ୍ନ ସ୍ଥାନରେ ବିରାଟ ବିରାଟ ଗଛ ଭାଙ୍ଗିଥିବା ବେଳେ କିଛି ସ୍ଥାନରେ ବିଦ୍ୟୁତ୍ ଖଣ୍ଟ ଉପୁଡି ପଡିଥିବା ଦେଖିବାକୁ ମିଳିଛି । ସମୁଦ୍ର କୂଳରେ ମତ୍ସ୍ୟଜୀବୀ ମାନେ ବାନ୍ଧିଥିବା ଡଙ୍ଗାରୁ ବହୁତ ଜୁଆର ମାଡ଼ରେ ଭାଙ୍ଗି ଯାଇଛି । ପ୍ରବଳ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି ।
ସେପଟେ ବାତ୍ୟା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି କରାଯାଇଥିଲା । ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ରଖାଯାଇଥିଲା । ତେବେ କିଛି ବାତ୍ୟା ସ୍ଥଳରେ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା ।