ବାତ୍ୟା ‘ଦାନା’ ଯୋଗୁଁ କ୍ଷୟକ୍ଷତି ହୋଇଥିବା ସ୍କୁଲର ରିପୋର୍ଟ ଆଜି ସୁଦ୍ଧା ଦେବାକୁ ନିର୍ଦ୍ଦେଶ


ଭୁବନେଶ୍ବର: ବାତ୍ୟା ‘ଦାନା’ ଯୋଗୁଁ ବହୁ ସ୍କୁଲରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ପ୍ରଭାବରେ ସ୍କୁଲ ବିଲଡିଂ ଓ ଭିତ୍ତିଭୂମି ନଷ୍ଟ ହୋଇଥିଲେ ତୁରନ୍ତ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ । ଆଜି ଦିନ ୧୨ଟା ସୁଦ୍ଧା ରିପୋର୍ଟ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ ଓ ନୟାଗଡର ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଏ ସଂକ୍ରାନ୍ତୀୟ ରିପୋର୍ଟ ମଗାଯାଇଥିଲା । ଏନେଇ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମଧ୍ୟ ଅବଗତ କରିଥିଲା ଗଣଶିକ୍ଷା ସଚିବ ।

ବାତ୍ୟା ‘ଦାନା’ ଗତ ଗୁରୁବାର ମଧ୍ୟ ରାତ୍ରିରେ ଭିତରକନିକାରେ ଲ୍ୟାଣ୍ଡଫଲ୍‌ କରିଥିଲା । ଉକ୍ତ ସମୟରେ ପ୍ରବଳ ବେଗରେ ପବନ ବହିଥିବା ସହ ବର୍ଷା ବି ହୋଇଥିଲା । ଫଳରେ ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ ବହୁ ସ୍କୁଲ ଘର କ୍ଷତିଗ୍ରସ୍ତ ହୋଇଛି । ଏ ସଂକ୍ରାନ୍ତୀୟ ରିପୋର୍ଟ ଆଜି ସୁଦ୍ଧା ଦେବାକୁ ଦେବାକୁ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟା ‘ଦାନା’ ଦୁର୍ବଳ ହୋଇ ଡିପ୍ରେସନରେ ପରିଣତ ହୋଇ ସାରିଛ। ଏବେ ଉତ୍ତର ଓଡ଼ିଶା ଉପରେ ସକ୍ରିୟ ରହିଛି ଅବପାତ । ଅବପାତ ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶା ଦେଇ ଅତିକ୍ରମ କରିବା ସହ ଆହୁରି ଦୁର୍ବଳ ପଡ଼ି ଆଜି ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହେବ । ଏହାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜରେ ଜାରି ରହିଛି ବର୍ଷା । ଫଳରେ ସ୍ଥିତି ଅଧିକ ବିଗିଡିବା ଆଶଙ୍କା ଦେଖାଦେଇଛି ।