ଲଖନପୁର ବ୍ଲକ ନାଗରିକ ପରିଷଦ ସାଧାରଣ ବୈଠକ ବର୍ଯ୍ୟ ପାଉଁଶ ଗୁଣ୍ଡ ପରିବହନ ବନ୍ଦ ନ ହେଲେ ଆନ୍ଦୋଳନ ନିଷ୍ପତ୍ତି


ଝାରସୁଗୁଡା ୨୬/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି ସ୍ଥିତ ମା ଘଟେଶ୍ୱରୀଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ବ୍ଲକ ନାଗରିକ ପରିଷଦ ଆହ୍ୱାନ କ୍ରମେ ଅଞ୍ଚଳବାସୀଙ୍କୁ ନେଇ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଲଖନପୁର ଜୋନ-୧ ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ ଅଧ୍ୟକ୍ଷତା କରିଥିବା ବେଳେ ନାଗରିକ ପରିଷଦ ସଭାପତି ପିତାମ୍ବର ମିଶ୍ର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସର୍ବ ପ୍ରଥମେ ମା ଘଟେଶ୍ୱରୀ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ସହ ପୂଜାର୍ଚ୍ଚନା କରା ଯାଇଥିଲା । ପ୍ରାରମ୍ଭରେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ତତ୍କାଳୀନ ମୁରା-ଅମ୍ବାଭନା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ବର୍ଗତ ମକରଧ୍ୱଜ ପଧାନ ଏବଂ ଗୋବିନ୍ଦପୁର ଟୋଲଗେଟ ନିକଟରେ ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଗୋବିନ୍ଦପୁର ଗାଁର ଛାତ୍ର ଦିନେଶ ଖଡ଼ିଆଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ ବୈଠକରେ ବିଶେଷ କରି ବିଭିନ୍ନ କଳ କାରଖାନାରୁ ନିର୍ଗତ ବର୍ଯ୍ୟ ପାଉଁଶ ଗୁଣ୍ଡକୁ ଶହ ଶହ ସଂଖ୍ୟକ ଭାରିଯାନ ଦ୍ୱାରା ପରିବହନ କରି ଲଖନପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଡମ୍ପିଂ କରା ଯାଉଛି । ଫଳରେ ଅଞ୍ଚଳର ସ୍ୱାସ୍ଥ୍ୟକର ପରିବେଶ, ବିଶୁଦ୍ଧ ବାୟୁ ମଣ୍ଡଳ, ହୀରାକୁଦ ଜଳଭଣ୍ଡାର ଦୂଷିତ ହେବା ସହ ଧାନ,ପନିପରିବା ଆଦି ବିଭିନ୍ନ ପ୍ରକାର ଫସଲ ବିଶେଷ ଭାବେ ପ୍ରଭାବିତ ହେଉଛି । ଏହା ବ୍ୟତୀତ କନକତୋରା ଠାରୁ ୧୯ ଖଣ୍ଡ ମୌଜା ରେମତା ପଞ୍ଚାୟତ ଅନ୍ତର୍ଗତ ଚିଖିଲି ପର୍ଯ୍ୟନ୍ତ ଜିଲ୍ଲା ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣା ଧୀନ ନୂତନ ରାସ୍ତାରେ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟକ ଭାରିଯାନ ଗୁଡ଼ିକ କ୍ଷମତା ଠାରୁ ଅଧିକ ବର୍ଯ୍ୟ ପାଉଁଶ ବୋଝେଇ କରି ଯାତାୟାତ କରୁଥିବା ଯୋଗୁଁ ଅଳ୍ପଦିନ ଭିତରେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଅନେକ ସଦସ୍ୟ ମତପ୍ରକାଶ କରିଥିଲେ । ଏ ସମ୍ପର୍କରେ ଓଡ଼ିଶା ସରକାରଙ୍କ ରାଜସ୍ବ ମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ଏସପି, ଜିଲ୍ଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଙ୍କୁ ଉପଯୁକ୍ତ ପଦକ୍ଷେପ ନେବାକୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳି ନ ଥିଲା । ଯାହାକୁ ନେଇ ଉପସ୍ଥିତ ସଦସ୍ୟ ମାନେ ଉଦବେଗ ପ୍ରକାଶ କରିଥିଲେ । ଏ ସମସ୍ତ ପ୍ରସ୍ତାବ ଗୁଡ଼ିକ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା ଏବଂ ଆସନ୍ତା ସୋମବାର ଦିନ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଯାଇ ଲଖନପୁର ବ୍ଲକ ଅଞ୍ଚଳକୁ କାରଖାନା ବର୍ଜ୍ୟ ପାଉଁଶ ଗୁଣ୍ଡ ପରିବହନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ପାଇଁ ଦାବିପତ୍ର ପ୍ରଦାନ କରାଯିବ । ଜିଲ୍ଲା ପ୍ରଶାସନ ଯଦି ସାତଦିନ ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତାହେଲେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବା ପାଇଁ ମାଁ ଘଟେଶ୍ୱରୀ ଙ୍କୁ ସାକ୍ଷୀ ରଖି ପ୍ରଦୀପ ଜାଳି ଶପଥ ପାଠ କରି ନିଷ୍ପତ୍ତି ନିଆ ଯାଇଥିବା ସଭାର ସଭାପତି ଶ୍ରୀ ସିଂହ ସୂଚନା ଦେଇଛନ୍ତି । ଏହି ଅବସରରେ ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, ଭାରତୀୟ କମ୍ୟୁନିଟି ପାର୍ଟିର ବରିଷ୍ଠ ନେତା ରମେଶ ତ୍ରିପାଠୀ, ଯୁବନେତା ରାଧେଶ୍ୟାମ ପଧାନ, ସମାଜସେବୀ ବିରଞ୍ଚି ସାହୁ,ବରିଷ୍ଠ ସଦସ୍ୟ ଚକାନନ ସା,ଯୋଗେନ୍ଦ୍ର ମାଝୀ,ସନ୍ତୋଷ ବିଶ୍ଵାଳ ଯୋଗଦାନ କରି ଅଞ୍ଚଳବାସୀଙ୍କ ଏହି ପ୍ରମୁଖ ସମସ୍ୟା ଆନ୍ଦୋଳନକୁ ତାଙ୍କର ପୂର୍ଣ୍ଣ ସମର୍ଥନ ଜଣାଇଥିଲେ । ଆଜିର ବୈଠକରେ ପିଥିଣ୍ଡା ସରପଞ୍ଚ ମହେନ୍ଦ୍ର ନାଏକ, କନକତୋରା ସରପଞ୍ଚ ସୁଶାନ୍ତ ଚଇନି, ଭିକମପାଲି ସରପଞ୍ଚ ପଦ୍ମିନୀ ସାହୁ, ଅତାବିରା ସରପଞ୍ଚ ସଞ୍ଜିତ ପଧାନ, ପଞ୍ଚଗାଁ ସରପଞ୍ଚ ମୁକେଶ ବାରିକ, ମଚିଦା ସରପଞ୍ଚ ସଂଯୁକ୍ତା ବେହେରା,ଜାମଗାଁ ସରପଞ୍ଚ ଗୋପୀନାଥ ସାଏ,ଚାରପାଲି ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ସୁନା, ସମାଜସେବୀ ପିକୁ ମିଶ୍ର,ସେବକରାମ ଭୋଇ, ଦୟାକର ପଧାନ, ଜଗବନ୍ଧୁ ସା,ଯୋଗେନ୍ଦ୍ର ମାଝୀ,ପ୍ରଦୀପ ବିଶ୍ଵାଳ, ସୁପ୍ରୀତ ବେହେରା, ଭାସ୍କର ଗରଡିଆ, ପ୍ରମୋଦ ଗଡତିଆ,ସଞ୍ଜୟ ଭୋଇ,ପୂର୍ଣ୍ଣଚନ୍ଦ୍ର ବେହେରା, ପ୍ରେମାନନ୍ଦ ପଟେଲଙ୍କ ସମେତ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରାନ୍ତରୁ ବହୁ ଲୋକଙ୍କ ସମାଗମ ହୋଇଥିଲା ।