ନଭେମ୍ବର ପହିଲାରେ ରାଜରାସ୍ତାକୁ ଓହ୍ଲାଇବେ ୧୦୮ ଆମ୍ବୁଲାନ୍ସ କମର୍ଚାରୀ


ଭୁବନେଶ୍ବର: ନଭେମ୍ବର ଏକ ତାରିଖରେ ଠପ୍ ହୋଇଯିବ ୧୦୮ ଆମ୍ବୁଲାନ୍ସ ସେବା । ରାଜରାସ୍ତାରେ ଗଡ଼ିବନି ୧୩ ଶହ ଆମ୍ବୁଲାନ୍ସ । କାରଣ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ରଖିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଆନ୍ଦୋଳନରେ ବସିବେ ୬ ହଜାରରୁ ଊର୍ଦ୍ଧ୍ୱ ଆମ୍ବୁଲାନ୍ସ କର୍ମଚାରୀ ।

ନୂତନ ଠିକା ସଂସ୍ଥା ଉଦ୍ଦେଶ୍ୟମୂଳକ ଭାବେ ୨ ଶହ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରି ନଥିବା ଅଭିଯୋଗ ହୋଇଛି । ଏହାରି ପ୍ରତିବାଦରେ ଆସନ୍ତା ୧ ତାରିଖରେ ଆନ୍ଦୋଳନ ଡାକରା ଦିଆଯାଇଛି ।

ମିଳିଥିବା ଖବର ଅନୁସାରେ, ଆଜି ୩୦ଟି ଜିଲ୍ଲାର ଅଫ୍ ଡ୍ୟୁଟି କର୍ମଚାରୀମାନଙ୍କୁ ନେଇ ଜିଲ୍ଳାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବ ମହାସଂଘ । ସେପଟେ ଏନେଇ ସଂପୃକ୍ତ ଠିକା ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଏନେଇ ଆମ୍ବୁଲାନ୍ସ କର୍ମଚାରୀ ସଂଘର ରାଜ୍ୟ ସମ୍ପାଦକ ଶ୍ରୀରାମଚନ୍ଦ୍ର ଆଚାର୍ଯ୍ୟ କହିଛନ୍ତି, ଗ୍ରୀନ୍‌ ହେଲଥ୍‌ ସର୍ଭିସ ନାମକ ଏକ ଠିକା କମ୍ପାନୀ ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ସେବାକୁ ଠିକାରେ ନେଇ ସାରିଛି । ସମୁଦାୟ ୬ ହଜାର କର୍ମଚାରୀଙ୍କ ମଧ୍ୟରୁ ନୂତନ ଠିକା ସଂସ୍ଥା ଉଦ୍ଦେଶ୍ୟମୂଳକ ଭାବେ ୨ଶହ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରିନାହିଁ । ଏହା ପ୍ରତିବାଦରେ ଆସନ୍ତା ୩୦ ତାରିଖରେ ସମଗ୍ର ରାଜ୍ୟରେ ସମସ୍ତ ୧୦୯୮ ଆମ୍ବୁଲାନ୍ସର କର୍ମଚାରୀ ଜିପିଏସ ବଟନ ଅଫ୍‌ କରି ରୋଗୀ ସେବା ଦେବେ । ଏହାପରେ ସମାଧାନ ନ ହେଲେ ୧ ତାରିଖରୁ ୧୦୮ ଆମ୍ବୁଲାନ୍ସ ସେବା ବନ୍ଦ କରି ରାସ୍ତା ଉପରକୁ ଆସିବେ ବୋଲି ଚେତାବନୀ ଦେଇଛନ୍ତି ।