ଯାଜପୁର: ଶୌଚ ପାଇଁ କେନାଲ ବନ୍ଧକୁ ଯାଇଥିବା ବେଳେ ବାପଝିଅଙ୍କ ଉପରେ ଖସିଲା ମାଟି ଅତଡ଼ା । ମାଟି ତଳେ ଚାପି ହୋଇ ଚାଲିଗଲା ୮ ବର୍ଷ ଝିଅର ମୃତ୍ୟୁ ଘଟିଥିବା ବେଳେ ବାପା ଗୁରୁତର ଆହତ ହୋଇଛନ୍ତି । ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ନଡ଼ିଆଭଙ୍ଗା ବାଉଁଶନଳୀ ଗାଁରେ ଏହି ଅଘଟଣ ଘଟିଛି । ମୃତକ ହେଲେ ବାଉଁଶନଳୀ ଗାଁର ଈଶ୍ୱର ମୁଣ୍ଡା ଓ ତାଙ୍କ ଝିଅ ଗୀତା ମୁଣ୍ଡା । ଈଶ୍ୱରଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଆଜି ସକାଳେ ଈଶ୍ୱର ଓ ତାଙ୍କ ଝିଅ ରେଙ୍ଗାଲି କେନାଲ ବନ୍ଧ ନିକଟକୁ ଶୌଚ ହେବା ପାଇଁ ଯାଇଥିଲେ । ଏହି ସମୟରେ ସେମାନଙ୍କ ଉପରେ ମାଟି ଅତଡ଼ା ଖସି ପଡ଼ିଥିଲା । ବାପ ଝିଅ ମାଟି ତଳେ ପୋତି ହୋଇଯାଇଥିଲେ । ସ୍ଥାନୀୟ ଲୋକ ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ବାପଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୁକିନ୍ଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଝିଅକୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ଈଶ୍ୱରଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ଏପରି ଅଘଟଣ ଘଟିଛି ବୋଲି ମୃତାହତଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏଥିସହ ମୃତାହତଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।