ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳାଇଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍ ଅଭିଯୋଗ । ବିଏମସିର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ଲଳିତ ମୋହନ ଦାସ ଧମକପୂର୍ଣ୍ଣ ଫୋନ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ । ପୋଲିସ ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅଭିଯୋଗ ଅନୁସାରେ, ଗତ ୨୯ ତାରିଖ ଅପରାହ୍ମରେ ମେୟର ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟରେ ଥିଲେ । ତାଙ୍କ ସହ କିଛି କର୍ପୋରେଟର ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଏହି ସମୟରେ ଏକ ଅଜଣା ନମ୍ବରରୁ ମେୟରଙ୍କ ମୋବାଇଲକୁ କଲ୍ ଆସିଥିଲା । ମେୟର କଲ୍ ରିସିଭ କରିବା ପରେ ଅପରପକ୍ଷରୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ଧମକ ଦେଇଥିଲେ ଜଣେ ବ୍ୟକ୍ତି । ଏନେଇ ଥାନାରେ ଅଭିଯୋଗ କରିଥିଲେ ମେୟର । ମେୟରଙ୍କ ଅଭିଯୋଗ ପରେ କଲ୍ ରେକର୍ଡ ଯାଞ୍ଚ କରିଥିଲା ପୋଲିସ । ଯାଞ୍ଚରୁ କଲଟି ବିଏମସିର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ଲଳିତ ମୋହନ ଦାସ କରିଥିବା ଜଣାପଡିଥିଲା ।
ମେୟରଙ୍କ ଅଭିଯୋଗ ଆଧାରରେ ପୋଲିସ ଲଳିତଙ୍କ ବିରୋଧରେ ମାମଲା ରୁଜୁ କରିଛି । ଦୀର୍ଘବର୍ଷ ଧରି ଲଳିତ ବ୍ରହ୍ମପୁର ମହାନଗର ନିଗମରେ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଥିଲେ । କିଛି ଦିନ ପୂର୍ବେ ସେ ନିୟୋଜିତ ଥିବା ଯୋଜନା ବନ୍ଦ ହୋଇଯିବାରୁ ତାଙ୍କୁ ଦାୟିତ୍ୱ ମୁକ୍ତ କରାଯାଇଥିଲା । ଏହି କାରଣରୁ ଲଳିତ ଏପରି କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ଅନ୍ୟପକ୍ଷରେ ଏନେଇ ଲଳିତଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।