ଢେଙ୍କାନାଳ: ଜଣେ ଲୋକ କୁଆଡେ ଯାଉଥିଲେ ଯଦି କୌଣସି ଗାଡ଼ି ଭଡ଼ା କରନ୍ତି ସେ ଗାଡି ଚାଳକଙ୍କ ଉପରେ ଭରଷା କରିଥାନ୍ତି । ଗାଡ଼ି ଚାଳକ ତାଙ୍କୁ ସୁରକ୍ଷିତ ଗନ୍ତବ୍ୟ ସ୍ଥାନରେ ଛାଡି ଦେବେ ବୋଲି ବିଶ୍ବାସ ଥାଏ । ହେଲେ ଯଦି ସେହି ଗାଡି ଚାଳକ ବିଶ୍ବାସରେ ବିଷ ଦେଇ ଜୀବନ ସହ ଖେଳିବେ ତେବେ କ’ଣ କରାଯାଇପାରେ । ଏମିତି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଲୋକନାଥପୁର ଗାଁରେ । ଗାଁର ଅଶୋକ ସାହୁ ଲୁଟର ଶିକାର ହୋଇଛନ୍ତି । ଦୁଇ ଦିନ ଧରି ରାସ୍ତା କଡ଼ରେ ଅଚେତ ହୋଇ ପଡିବା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇ ଘରକୁ ଫେରିଛନ୍ତି ଅଶୋକ ।
ସୂଚନା ଅନୁଯାୟୀ, ଦୀପାବଳି ପାଇଁ ଘରକୁ ଛୁଟିରେ ଆସୁଥିବାବେଳେ କଟକ ଲିଙ୍କ ରୋଡ଼ରେ ଜଣେ ଅଟୋ ଡ୍ରାଇଭର ତାଙ୍କୁ ଲିଫ୍ଟ ଦେଇଥିଲେ । ଅଟୋ ଡ୍ରାଇଭର ନିଜକୁ କାମାକ୍ଷାନଗରର କହି ଅଶୋକଙ୍କ ସହ ସୁସମ୍ପର୍କ ସ୍ଥାପନା କରିଥିଲେ । ଚୌଦ୍ୱାର ନିକଟରେ ତାଙ୍କୁ କୋଲ୍ଡ ଡ୍ରିଂକ୍ସ ପିଇବାକୁ ଦେଇଥିଲେ । କୋଲ୍ଡ ଡ୍ରିଂକ୍ସ ପିଇବା ପରେ ଅଶୋକଙ୍କ ମୁଣ୍ଡ ବୁଲାଇଥିଲା ଏବଂ ସେ ଅଚେତ ହୋଇ ପଡିଯାଇଥିଲେ । ତା’ପରେ ଅଟୋ ଚାଳକ ଜଣଙ୍କ କୁସପଙ୍ଗି ନିକଟରେ ଅଶୋକଙ୍କୁ ଫିଙ୍ଗି ଦେଇ ତାଙ୍କଠୁ ମୋବାଇଲ ଫୋନ, ନଗଦ ଟଙ୍କା ଓ ଘରକୁ ଆଣୁଥିବା ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିଲେ । ଅଶୋକଙ୍କ ଫୋନ ନଲାଗିବାରୁ ପରିବାର ଲୋକେ ପୋଲିସରେ ଅଭିଯୋଗ କରିଥିଲେ । ଶେଷରେ ସ୍ଥାନୀୟ ଲୋକେ ଅଶୋକଙ୍କୁ ବୁଦା ମୂଳେ ପଡିଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ ।