ମଇଁଷି ଗାଧୋଇ ଦେଉଥିବା ବେଳେ ଗଙ୍ଗୁଆ ନାଳରେ ବୁଡ଼ି ଯୁବକ ମୃତ


ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଥିବା ଗଙ୍ଗୁଆ ନାଳରେ ବୁଡ଼ିଗଲେ ଯୁବକ । ଭୁବନେଶ୍ୱର ଚକେଇସିଆଣି ନିକଟ ଗଙ୍ଗୁଆ କେନାଲରେ ଗତକାଲି ଏହି ଅଘଟଣ ଘଟିଛି । ମୃତ ଯୁବକ ଜଣକ ସ୍ଥାନୀୟ ପଥରବନ୍ଧ ବସ୍ତିର ଦିପୁନା ବେହେରା । ବିଳମ୍ବିତ ରାତିରେ ଦିପୁନାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଦିପୁନା ଗତକାଲି ଅପରାହ୍ନରେ ନିଜ ମଇଁଷିଙ୍କୁ ଗାଧୋଇ ଦେବାକୁ ଗଙ୍ଗୁଆ କେନାଲକୁ ନେଇଥିଲେ । କେନାଲ ଭିତରେ ମଇଁଷି ପଲକୁ ଗାଧୋଇବା ବେଳେ ତାଙ୍କ ବନ୍ଧୁ ମୋବାଇଲରେ ତାର ଭିଡିଓ ବି କରିଥିଲେ । ତେବେ ହଠାତ୍ ଦିପୁନା କେନାଲରେ ବୁଡି ଯାଇଥିଲେ ।

ଏହାପରେ ତାଙ୍କ ସାଙ୍ଗ ଚିତ୍କାର କରି ଅନ୍ୟମାନଙ୍କୁ ଡାକିଥିଲେ । କେନାଲ କୂଳରୁ ଦିପୁନାଙ୍କ ମୋବାଇଲ ଓ ଚପଲ ମିଳିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେମାନେ କେନାଲ ଭିତରେ ପ୍ରାୟ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଖୋଜାଖୋଜି କରିବା ପରେ ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠା ଯାଇଛି । ମଞ୍ଚେଶ୍ୱର ପୋଲିସ ଘଟଣାର ତଦନ୍ତ କରୁଛି ।