Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଭିକମପାଲି ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ସିଏଆର ପାଣ୍ଠି ବିନିଯୋଗ ଉପରେ ସରଗରସମ ଆଲୋଚନା

ଝାରସୁଗୁଡା ୬/୧୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି ଗ୍ରାମ ପଞ୍ଚାୟତ ସଭାଗୃହରେ ସ୍ଥାନୀୟ ସରପଞ୍ଚ ପଦ୍ମିନୀ ସାହୁଙ୍କ ଆହ୍ୱାନ କ୍ରମେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା ।ସମାଜସେବୀ ପରିତୋଷ ମିଶ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ ସ୍ୱତନ୍ତ୍ର ଗ୍ରାମସଭାକୁ ଛୁଇପାଲି କ୍ବାର୍ଜାଇଟ ଖଣି, ଡାଲମିଆ ପଥର ଖଣି, ଛତିଶଗଡ଼ ଲାରା ଏନଟିପିସି ଓ ରାଧା ରମଣ ଷ୍ଟୋନ କ୍ରସର ର କତ୍ତୃପକ୍ଷଙ୍କୁ ଉପସ୍ଥିତ ରହିବା ପାଇଁ ପଞ୍ଚାୟତ ତରଫରୁ ନୋଟିସ କରା ଯାଇଥିଲା । କିନ୍ତୁ ଡାଲମିଆ ପଥର ଖଣି ଓ ରାଧା ରମଣ ଷ୍ଟୋନ କ୍ରସର ପ୍ରତିନିଧି ଉପସ୍ଥିତ ଥିବା ବେଳେ ଲାରା ଏନଟିପିସି ଏବଂ ବିଶେଷ କରି ଛୁଇପାଲି କ୍ବାର୍ଜାଇଟ ଖଣି ପକ୍ଷରୁ କୌଣସି ଅଧିକାରୀ ସଭାରେ ଯୋଗଦାନ କରିନଥିବା ଯୋଗୁଁ ଉପସ୍ଥିତ ଜନ ସାଧାରଣଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ।
ଭିକମପାଲି ପଞ୍ଚାୟତରେ ରହିଥିବା ଖଣି ଖାଦାନ ଦ୍ୱାରା ପଞ୍ଚାୟତ ବାସୀ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି । ତଥାପି ପୂର୍ବ ପ୍ରତିଶ୍ରୁତି ଅନୁସାରେ ଖଣି ଦ୍ୱାରା ପ୍ରଭାବିତ ଗାଁ ମାନଙ୍କରେ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠି (ସିଏସଆର) ରୁ ସେଭଳି କୌଣସି ଆଖି ଦୃଶିଆ କାର୍ଯ୍ୟ କରା ଯାଉନଥିବା, ସର୍ବ ସାଧାରଣଙ୍କ ପାଇଁ ସଂରକ୍ଷିତ ଶ୍ମଶାନ ଜମି,ହୀରାକୁଦ ଜଳଭଣ୍ଡାର ଓ ଛୁଇପାଲି ଗାଁର ଡିସି ପଟ୍ଟା ଧାରୀ ନୀରିହ ଆଦିବାସୀଙ୍କ ଜମିକୁ ଜୋର ଜବରଦସ୍ତ କବଜା କରିବା,ଟିଆରଏଲ କ୍ରୋସାକୀ କମ୍ପାନୀ ଦ୍ୱାରା ପରିଚାଳିତ ଛୁଇପାଲି କ୍ବାର୍ଜାଇଟ ଖଣି ଦ୍ୱାରା ପ୍ରଭାବିତ ଗ୍ରାମବାସୀ ଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିବା, କମ୍ପାନୀ ମାନଙ୍କ ପୂର୍ବରୁ ହୋଇଥିବା ସମସ୍ତ ଜନ ଶୁଣାଣି କୁ ବାତିଲ କରିବା, ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବା, ପଥର ଖାଦାନରେ ଉଚ୍ଚ କ୍ଷମତା ସମ୍ପନ୍ନ ବ୍ଲାଷ୍ଟିଙ୍ଗ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା,ବେନିୟମ ଭାବେ ସ୍ଥାପନ କରା ଯାଇଥିବା କ୍ରସର କୁ ବନ୍ଦ କରିବା ସହ ତା ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ବଡ଼କେଲୋ ନଦୀରୁ ହାଇୱା ଗାଡ଼ି ସାହାଯ୍ୟରେ ଶହ ଶହ ଟ୍ରିପ ବାଲି ଆଣି ବେଆଇନ ଭାବେ ଗଛିତ ରଖିବା ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରା ଯାଇଥିଲା ।
ଏହା ବ୍ୟତୀତ ଏନଏଚ ୪୯ ରୁ ପୁଝାରିପାଲି, ଏନଏଚ ୪୯ ରୁ ବାସେନପଲି (ଖ) ଏବଂ ଏନଏଚ ୪୯ ଠାରୁ ଅତାବିରା ପ୍ରଧାନମନ୍ତ୍ରୀ ରାସ୍ତାରେ ଭାରିଯାନ ଗୁଡ଼ିକ କ୍ଷମତା ଠାରୁ ଅଧିକ ମାଲ ବୋଝେଇ କରି ଯାତାୟାତ କରୁଥିବା ଯୋଗୁଁ କିଛିଦିନ ମଧ୍ୟରେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିବ । ତେଣୁ ଉକ୍ତ ରାସ୍ତାରେ ଭାରିଯାନ ଚଳାଚଳକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା, ଅଞ୍ଚଳବାସୀ ଙ୍କ ଜୀବନ ରେଖା ସାଜିଥିବା ଛେଲିଆ ପାହାଡ଼କୁ କମ୍ପାନୀଙ୍କ ଲୋଲୁପ ଦୃଷ୍ଟିରୁ ସୁରକ୍ଷା ଦେବା ପାଇଁ ଉପସ୍ଥିତ ପଞ୍ଚାୟତ ବାସୀ ଶପଥ ନେଇଥିଲେ । ଶେଷରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିମାଇଁ ନେଟୀ ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ର ବୈଠକରେ ସରପଞ୍ଚ ପଦ୍ମିନୀ ସାହୁ ଙ୍କ ସହିତ ନାଏବ ସରପଞ୍ଚ, ସମସ୍ତ ୱାର୍ଡ ସଭ୍ୟ,ସଭ୍ୟା ତଥା ଭିକମପାଲି, ଚିଖିଲାପାଲି, କପିଲାପୁର, ପୁଝାରିପାଲି, ଛୁଇପାଲି, ବାସେନପାଲି ଓ କଦମଘାଟ ଗାଁ ର ଜନ ସାଧାରଣ ଅଂଶଗ୍ରହଣ କରି ନିଜ ନିଜ ସୁଚିନ୍ତିତ ମତାମତ ଦେଇଥିଲେ ।

More Stories