ୟୁଟ୍ୟୁବରେ ବିଧାୟକଙ୍କ ଚରିତ୍ର ସଂହାର କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ


ଭୁବନେଶ୍ବର: ୟୁଟ୍ୟୁବରେ ବିଧାୟକଙ୍କ ଚରିତ୍ର ସଂହାର କରିବା ଜଣେ ୟୁଟ୍ୟୁବରଙ୍କୁ ପଡ଼ିଲା ମହଙ୍ଗା । କିଛି ଦିନ ହେବ ସୋଶାଲ ମିଡିଆରେ ଯାଜପୁର ଜିଲ୍ଲା ଧର୍ମଶାଳ ବିଧାୟକ ହିଂମାଶୁ ଶେଖର ସାହୁଙ୍କ ଚରିତ୍ର ସଂହାର କରୁଥିବା ଯୁବକଙ୍କୁ ବାନ୍ଧିଛି ପୋଲିସ୍‌ । ଗିରଫ ଯୁବକ ଜଣକ ହେଲେ କେନ୍ଦ୍ରାପଡା ଜିଲ୍ଲାର ୟୁଟ୍ୟୁବର ଜୟଦେବ ଲେଙ୍କା ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଧର୍ମଶାଳା ବିଧାୟଙ୍କ ବିରୋଧରେ ପ୍ରାୟ ୪ ମାସ ହେବ ବାରମ୍ବାର ସୋସିଆଲ ମିଡ଼ିଆରେ ଆପତ୍ତିଜଣକ ମନ୍ତବ୍ୟ ପୋଷ୍ଟ କରୁଥିଲେ ଜୟଦେବ । ଏପରିକି ୨ ଦିନ ତଳେ କରିଥିବା ପୋଷ୍ଟରେ ତାଙ୍କୁ ଗିରଫ କରିବାକୁ ଚ୍ୟାଲେଞ୍ଜ ଦେଇଥିଲେ । ଏନେଇ ବିଧାୟକଙ୍କ ସମର୍ଥକ ଗତ ୨୮ ତାରିଖରେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ଏହାପରେ ଜୟଦେବଙ୍କୁ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ପୋଲିସ୍‌ ଅଟକ ରଖିଥିବା ବେଳେ ଗତକାଲି ତାଙ୍କୁ ନେବାକୁ ଭୁବନେଶ୍ୱରରେ ପହଞ୍ଚିଥିଲା ଧର୍ମଶାଳା ପୋଲିସ୍‌ । ଭୁବନେଶ୍ୱରରୁ ଜୟଦେବଙ୍କୁ ଗିରଫ କରି ଧର୍ମଶାଳା ପୋଲିସ୍‌ ନେଇଥିବା ଜଣାଯାଇଛି । ତେବେ ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଗିରଫଦାରୀ ପରେ ତାଙ୍କୁ କେଉଁ ଥାନାରେ ରଖାଯାଇଛି ସେ ନେଇ ସ୍ପଷ୍ଟ ସୂଚନା ମିଳି ପାରିନି ।

ଜୟଦେବଙ୍କ ଘର କେନ୍ଦ୍ରାଡ଼ାର ମହାକାଳପଡ଼ା ହୋଇଥିବା ବେଳେ ସେ କ’ଣ ପାଇଁ ଧର୍ମଶାଳା ବିଧାୟକଙ୍କ ବିରୋଧରେ ଆକ୍ଷେପ କରିବା ସହ ତାଙ୍କୁ ଟାର୍ଗେଟ କରୁଥିଲେ ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ୍‌ । ଜୟଦେବଙ୍କ ଫେସବୁକ୍‌ ପେଜରେ ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କୀତ ଫଟୋ ରହିଛି । ତେଣୁ କାହା ଇଙ୍ଗିତରେ ସେ ଏପରି ପୋଷ୍ଟ କରୁଥିଲେ ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ୍‌ ।