Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରେଡିଂ ଆପରେ ଟଙ୍କା ଲଗାଇ କାଙ୍ଗାଳ ହେବା ପରେ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ

ଝାରସୁଗୁଡ଼ା/କେନ୍ଦ୍ରାପଡ଼ା: ଟ୍ରେଡିଂ ଆପରେ ଟଙ୍କା ଲଗାଇ କାଙ୍ଗାଳ ହେବା ପରେ ଅନ୍ୟ କିଛି ବାଟ ନପାଇ ଜଣେ ଯୁବକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଘଟଣା ଘଟିଛି ଝାରସୁଗୁଡ଼ାରେ । ମୃତ ଯୁବକଙ୍କ ଘର କେନ୍ଦ୍ରାପଡ଼ାରେ । ରେଜଗାର ପାଇଁ ଘରର ଭେଣ୍ଡିଆ ପୁଅ କେନ୍ଦ୍ରାପଡ଼ାରୁ ଝାରସୁଗୁଡ଼ା ଯାଇଥିବା ବେଳେ ଏବେ ବୁଢ଼ା ବାପା ପୁଅର ମୃତଦେହ ଧରି ଘରକୁ ଫେରିଛନ୍ତି ।

ଘଟଣା ଝାରସୁଗୁଡ଼ା ରେଳ ଷ୍ଟେସନରେ ଘଟିଛି । ଷ୍ଟେସନରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ୩୧ ବର୍ଷୀୟ ଅଚ୍ୟୁତାନନ୍ଦ ସାହୁ । ସେ ଝାରସୁଗୁଡ଼ାସ୍ଥିତ ମାଇକ୍ରୋ କଣ୍ଟିନେଣ୍ଟାଲ ହୋଟେଲରେ କ୍ୟାସିୟର ଭାବେ କାମ କରୁଥିଲେ । ତାଙ୍କ ଘର କେନ୍ଦ୍ରାପଡ଼ା (ଓରାଡି) ଲଙ୍କାପଡ଼ାରେ ବୋଲି ଜଣାପଡ଼ିଛି । ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅଚ୍ୟୁତାନନ୍ଦ କିଛି ବର୍ଷ ହେବ ଝାରସୁଗୁଡ଼ାସ୍ଥିତ ମାଇକ୍ରୋ କଣ୍ଟିନେଣ୍ଟାଲ ହୋଟେଲରେ କାମ କରୁଥିଲେ । ଏଥିସହ ସେ କଲର ଟ୍ରେଡିଂ ଗେମ୍ବଲିଂ ଆପରେ ଟଙ୍କା ଲଗାଇଥିଲେ । ମାତ୍ର ସେଥିରେ ସେ ସବୁ ଟଙ୍କା ହରାଇ ବସିଲେ । ସେଥିରୁ ମୁକୁଳିବାକୁ ସେ ଆଉ ୨୦ରୁ ୨୫ ଲକ୍ଷର ରଣ ବି କରି ଦେଇଥିଲେ । ମାତ୍ର ତାହା ବି ବୁଡ଼ିଗଲା । ଫଳରେ କରଜ ବୋଝ ତଳେ ଚାପି ହୋଇଗଲେ ଅଚ୍ୟୁତାନନ୍ଦ । ଋଣ କିପରି ଶୁଝିବେ ସେ ନେଇ ତାଙ୍କୁ କିଛି ବୁଦ୍ଧିବାଟ ଦିଶିଲାନି । ଫଳରେ ସବୁଆଡ଼ୁ ନିରାଶ ହେବା ପରେ ସେ ଜୀବନ ହାରିବାକୁ ଶେଷ ନିଷ୍ପତ୍ତି ନେଇଯାଇଥିଲେ ।

ଜୀବନ ହାରିବା ପୂର୍ବରୁ ସେ ଛାଡ଼ି ଯାଇଥିବା ସୁଇସାଇଡ ନୋଟରେ ଲେଖିଛନ୍ତି, ‘ଏତେ ବଡ଼ ଭୁଲ ମୋ ଦ୍ଵାରା କେମିତି ହୋଇଗଲା ସବୁ ଜାଣି ବି ଜାଣି ହେଲାନି । ଏତେ ପରିମାଣର ଋଣ ବୋଝର ଚାପ ସହିବା ଭଳି ମୋ ପାଖରେ ସେ ସାହସ ନାହିଁ । ଶେଷ ନିଶ୍ୱାସ ଯାଏଁ ବହୁତ ଚେଷ୍ଟା କଲି । ଆଉ ବିଳମ୍ବ କରିଥିଲେ ଆହୁରି ଅଧିକ ଲୋକ କଷ୍ଟ ପାଇଥାନ୍ତେ । ତାହା ମୁଁ ସହି ପାରି ନଥାନ୍ତି । ଯେଉଁ ସମୟରେ ବାପା ବୋଉଙ୍କ ସେବା କରିବା କଥା ସେ ସମୟରେ ତାଙ୍କ ମନକୁ ଆଘାତ ଦେଇ ଛାଡ଼ି ଚାଲି ଯାଉଛି । ବହୁତ ଭାଗ୍ୟବାନ ଥିଲି ଯେ ଏମିତି ବାପା ବୋଉଙ୍କୁ ପାଇଥିଲି । କିନ୍ତୁ ସେ ସୁଖରୁ ବଞ୍ଚିତ ହେବାକୁ ପଡ଼ିଲା । ଏତିକି ଅନୁରୋଧ ମତେ କ୍ଷମା କରିଦେବ ।

ଏହାପରେ ସେ ଝାରସୁଗୁଡ଼ା ରେଳ ଷ୍ଟେସନରୁ କିଛି ଦୂରରେ ଟ୍ରେନ୍‌ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିଲେ । ମୃତ୍ୟୁ ପୂର୍ବରୁ ପୁଅ କରିଥିବା ମେସେଜ୍ ପାଇବା ପରେ ଅଚ୍ୟୁତାନନ୍ଦଙ୍କ ପିତା ତୁରନ୍ତ ହୋଟେଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ । ଖବର ପାଇ ପୋଲିସ୍‌ ଓ ରେଳବାଇ ପୋଲିସ୍ ଘଟଣାସ୍ଥଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏହାପରେ ମୃତଦେହ ଧରି ପରିବାର ଲୋକେ ଘରକୁ ଫେରିଥିବା ଜଣାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ବୁଥ ସ୍ତରୀୟ ଅଧିକାରୀଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରଶିକ୍ଷଣ ଶିବିରଜାମଗାଁ, ୨୯/୫ (ଆପ୍ର): ସାରା ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍‌) ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଲଖନପୁର ବ୍ଲକର ବିଭିନ୍ନ ସ୍ଥାନରେ ବୁଥ ସ୍ତରୀୟ ଅଧିକାରୀ (ବିଏଲଓ) ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରଗୁଡିକରେ ବିଏଲଓ, ସେମାନଙ୍କ ସୁପରଭାଇଜର, ସ୍ୱେଛାସେବୀ ଏବଂ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିଯୁକ୍ତ ବୁଥ ସ୍ତରୀୟ ପଦାଧିକାରୀମାନେ ଯୋଗଦେଇଥିଲେ। ପଞ୍ଚଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଜାପାଲି ମହିମା ଡିଗ୍ରୀ କଲେଜରେ ଆୟୋଜିତ କାର୍ଯ୍ୟକ୍ରମରେ ଲଖନପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ କୁମାର ପଟେଲ ଯୋଗଦେଇ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି, ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ଅନ୍ତର୍ଭୁକ୍ତି ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକ୍ରିୟା ସମାପ୍ତ କରିବା ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ବିଏଲଓମାନେ ଘରେ ଘରେ ଯାଇ ଫର୍ମ ବଣ୍ଟନ ଓ ସଂଗ୍ରହ କରିବା, ଫର୍ମ ପୂରଣ ପ୍ରଣାଳୀ ଏବଂ ବିଏଲଓ ସୁପରଭାଇଜରଙ୍କ ଦାୟିତ୍ୱ ସମ୍ପର୍କରେ ମଧ୍ୟ ସେ ବିସ୍ତୃତ ଆଲୋଚନା କରିଥିଲେ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରୀ ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟ କରିବାକୁ ବିଏଲଓ ମାନଙ୍କୁ ପରାମର୍ଶ ଦିଆ ଯାଇଥିଲା। ଚଳିତ ମଇ ୩୦ ତାରିଖରୁ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ବିଏଲଓମାନେ ଘରେ ଘରେ ଯାଇ ପରିଗଣନା ଫର୍ମ ବଣ୍ଟନ କରିବେ ବୋଲି ସୂଚନା ଦିଆଯାଇଛି। ଏହି ପ୍ରକ୍ରିୟାରେ ସମସ୍ତ ବ୍ଲକବାସୀ ସକ୍ରିୟ ଭାବେ ସହଭାଗୀ ହୋଇ ବିଏଲଓ ମାନଙ୍କୁ ସହଯୋଗ କରିବା ସହ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ଯେଭଳି ବାଦ୍ ନ ପଡ଼ିବ ସେ ଉପରେ ଗୁରୁତ୍ୱ ଦେବାକୁ ଅନୁରୋଧ କରା ଯାଇଥିଲା। ଉକ୍ତ ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହ, ପଞ୍ଚଗାଁ ସମିତି ସଭ୍ୟ ରୋହିତ ଧୂରୁଆଙ୍କ ସମେତ ଜାମଗାଁରୁ ପଞ୍ଚଗାଁ ପର୍ଯ୍ୟନ୍ତ ସମସ୍ତ ପଞ୍ଚାୟତର ବିଏଲଓ, ସୁପରଭାଇଜର ଓ ବିଭିନ୍ନ ଦଳର ବୁଥ ସ୍ତରୀୟ ପଦାଧିକାରୀ ମାନେ ଅଂଶଗ୍ରହଣ କରିଥିଲେ। ସେହିପରି ଭିକମପାଲିରେ ଆୟୋଜିତ ଶିବିରରେ ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦମୟନ୍ତୀ ପଟେଲ ଏବଂ କନକତୋରାରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋପାଳ କୃଷ୍ଣ ମିଶ୍ର ପ୍ରଶିକ୍ଷଣ ପ୍ରଦାନ କରିଥିଲେ।