କଟକ: ଆଜିଠୁ ଐତିହାସିକ କଟକ ବାଲିଯାତ୍ରା ଆରମ୍ଭ । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିବେ ଉଦଘାଟନ । ଏଥର ଉପର ଓ ତଳ ପଡ଼ିଆ ମିଶାଇ ମୋଟ ୨୫ ଶହରୁ ଅଧିକ ଷ୍ଟଲ୍ ଖୋଲିବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି । ଆଜି ୧୩ ରାଷ୍ଟ୍ରର ରାଷ୍ଟ୍ରଦୂତ, ହାଇକମିଶନର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହାକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।
ପ୍ରତିଦିନ ଗୋଟିଏ କିମ୍ବା ଦୁଇ ଦେଶର କଳାକାର ବାଲିଯାତ୍ରାରେ ନିଜ କଳାର ପ୍ରଦର୍ଶନ କରିବେ । ବର୍ତ୍ତମାନ ସୁଦ୍ଧା ୮ ଦେଶର କଳାକାର ଆସିବା ସ୍ଥିର ହୋଇ ସାରିଲାଣି । ତେବେ ପ୍ରଥମ ଦିନ ଭଜନ ସମାରୋହ ଆୟୋଜିତ ହେବ ।
ଚଳିତବର୍ଷ ବାଲିଯାତ୍ରାରେ ପିଠା ମହୋତ୍ସବ ଆରମ୍ଭ ହେବ । ଭାରତ ବ୍ୟତୀତ ଅନ୍ୟ କିଛି ଦେଶରେ ବି ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତ ହୁଏ । ତେଣୁ ଆମ ରାଜ୍ୟବାସୀ ସେମାନଙ୍କ ପିଠାର ମଜା ଉଠାଇ ପାରିବେ ଓ ସେମାନେ ଆମ ପିଠାର ସ୍ୱାଦ ଚାଖି ପାରିବେ ।
ଏହାବାଦ ଏଥର ବାଲି ଯାତ୍ରାରେ ମହାନଦୀରେ ଲେଜର ଶୋ’, ଡ୍ରୋନ ଶୋ’ ଆୟୋଜିତ ହେବ । ପ୍ରଥମ ଥର ପାଇଁ ୪୦୦ ଡ୍ରୋନକୁ ନେଇ ଡ୍ରୋନ୍ ଶୋ’ ଆୟୋଜିତ ହେବ ।
ଚଳିତବର୍ଷ ବାଲିଯାତ୍ରାକୁ ଆସିଛି ନୂଆ ଦୋଳି ସ୍କ୍ରିମ ଟାୱାର । ବାଲିଯାତ୍ରାରେ ଏହି ଦୋଳିକୁ ପ୍ରଥମ ଥର ପାଇଁ ଲଞ୍ଚ କରିଛି ଗାଜିଆବାଦର ଫନଟେକ ଆମ୍ୟୁଜମେଣ୍ଟ କମ୍ପାନୀ । ଏକାଥରକେ ୩୨ ଜଣ ଏହି ଦୋଳିରେ ବସି ନୂଆ ରୋମାଞ୍ଚର ମଜା ନେଇପାରିବେ ।
ସେହିପରି ପ୍ରଥମଥର ପାଇଁ ବାଲିଯାତ୍ରାକୁ ଆସିଛି ସୁନାମି ଓ ଫ୍ରିସ-ବି ଦୋଳି । ଯାହା ଦର୍ଶକଙ୍କୁ ବେଶ୍ ମନୋରଞ୍ଜନର ଖୋରାକ ଦେବ । ଚଳିତବର୍ଷ ବାଲିଯାତ୍ରା ‘କଟକ ଇନ୍ କଟକ’ରେ ଦେଖିବାକୁ ମିଳିବ ଓଡିଆ ଚଳଚ୍ଚିତ୍ର ଇତିହାସର ଝଲକ । ଏଥର ବାଲିଯାତ୍ରାକୁ ପାଖାପାଖି ୭୦ ଲକ୍ଷ ଲୋକ ଆସିବେ ବୋଲି ଆକଳନ କରାଯାଇଛି । ବୟସ୍କଙ୍କ ପାଇଁ ୮ ସିଟ୍ ବିଶିଷ୍ଟ ୬ଟି ଗାଡ଼ି, ୩୦ ଇ-ରିକ୍ସା ବ୍ୟବସ୍ଥା ହୋଇଛି । ବୟସ୍କ ତଥା ଭିନ୍ନକ୍ଷମଙ୍କୁ ଏହା ସେବା ଯୋଗାଇବ ।