କାର୍ତ୍ତିକ ପୂର୍ଣ୍ଣିମା: ଡଙ୍ଗାରୁ କଏନ ଗୋଟାଇବା ବେଳେ ପାଣିରେ ବୁଡ଼ି ନାବାଳିକା ମୃତ


ମାଳକାନଗିରି: କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇ ପୂଣ୍ୟ ଅର୍ଜନ କରିବାକୁ ସବୁ ଜଳାଶୟରେ ଭିଡ଼ । ହେଲେ ଏହି ଉଲ୍ଲାସ ଭିତରେ ମାଲକାନଗିରି ଜିଲ୍ଲା ସଦର ଥାନା ଚମ୍ପା ନଗରରେ ଘଟି ଯାଇଛି ଦୁଃଖଦ ଘଟଣା । ଭସା ଯାଇଥିବା ଡଙ୍ଗାରୁ କଏନ ସଂଗ୍ରହ କରିବାକୁ ଯାଇ ପାଣିରେ ବୁଡ଼ିଗଲେ ନାବାଳିକା । ମୃତା ନାବାଳିକାଙ୍କ ବୟସ ୧୨ ବର୍ଷ ହେବ ବୋଲି ଜଣାଯାଇଛି ।

ଆଜି ସକାଳ ପ୍ରାୟ ୬ଟା ବେଳେ ସେ ନିଜର କିଛି ସାଙ୍ଗଙ୍କ ସହ ନିକଟସ୍ଥ ପୋଖରୀକୁ ଯାଇଥିଲେ । ସେଠାରୁ ସମସ୍ତେ ଡଙ୍ଗା ଭସାଇ ଚାଲି ଯାଇଥିବା ବେଳେ କେହି ବୟସ୍କ ବ୍ୟକ୍ତି ନ ଥିଲେ । ଏହି ସମୟରେ ପିଲାମାନେ ଡଙ୍ଗାରୁ ଟଙ୍କା ସଂଗ୍ରହ କରିବାକୁ ପାଣିରେ ପଶିଗଲେ । ମାତ୍ର ଗୋଡ଼ ଖସିଯିବାରୁ ସେ ଆଉ ବାହାରକୁ ଆସି ପାରିନ ଥିଲେ । ଏହାଦେଖି ଅନ୍ୟ ପିଲାମାନେ ଭୟଭୀତ ହୋଇ ନିଜ ନିଜ ଘରକୁ ପଳାଇଥିଲେ ।

ନାବାଳିକାଙ୍କର ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିକଟସ୍ଥ ପୋଖରୀରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି ।