ଆସିବ ପୁଞ୍ଜି, ସିଙ୍ଗାପୁର ଗଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ବର: ଓଡ଼ିଶାରେ ହେବ ବଡ଼ ପୁଞ୍ଜିନିବେଶ । ସିଙ୍ଗାପୁରରେ ଶିଳ୍ପ ଜଗତର ଶୀର୍ଷ ନେତୃତ୍ୱଙ୍କୁ ଭେଟି ଓଡ଼ିଶାକୁ ନିମନ୍ତ୍ରଣ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିପାଇଁ ୬ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ପ୍ରତିନିଧି ମଣ୍ଡଳୀ ।

ସିଙ୍ଗାପୁର ଯିବା ଆଗରୁ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ଜଗନ୍ନାଥଙ୍କ ଆର୍ଶୀବାଦରେ ଓ ପ୍ରଧାନମନ୍ତ୍ରୀଙ୍କ ମାର୍ଗ ଦର୍ଶନରେ ବରିଷ୍ଠ ପ୍ରତିନିଧି ମଣ୍ଡଳି ସହିତ ସିଙ୍ଗାପୁର ଯାଉଛି । ମୁଁ ଆଶା କରୁଛି, ଯେତେବଳେ ସାରା ବିଶ୍ୱରୁ ଇନଭେଷ୍ଟରମାନେ ଭାରତରେ ଇନଭେଷ୍ଟ କରିବା ପାଇଁ ଚାହିଁବେ ସେତେବେଳେ ଓଡ଼ିଶା ସେମାନଙ୍କର ପ୍ରଥମ ପ୍ରସନ୍ଦ ହେବ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଶିଳ୍ପାୟନ ପାଇଁ ସିଙ୍ଗାପୁର ପ୍ରସିଦ୍ଧ । ସେଠାରେ କେମିକାଲ୍ସ, ପେଟ୍ରୋ କେମିକାଲ୍ସ, ଗ୍ରୀନ ଏନର୍ଜି, ସେମିକଣ୍ଡକ୍ଟର, ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ ବିଶ୍ୱର ବଡ଼ ବଡ଼ କମ୍ପାନୀ କାମ କରୁଛନ୍ତି । ସେହି କମ୍ପାନୀର ଶୀର୍ଷ ନେତୃତ୍ୱଙ୍କ ସହ ଓଡ଼ିଶା ଆଲୋଚନା କରିବ । ପୁଞ୍ଜିପତିଙ୍କୁ ଆମ ରାଜ୍ୟର ପ୍ରାକୃତିକ ସମ୍ପଦ, ଦକ୍ଷ ମାନବ ସମ୍ବଳ ଓ ଉନ୍ନତ ଶିଳ୍ପ ନୀତି ସମ୍ପର୍କରେ ଅବଗତ କରାଯିବ । ନିବେଶ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି । ଏଣୁ ଓଡ଼ିଶାରେ ନିବେଶ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ନିବେଶକୁ ନିମନ୍ତ୍ରଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।