ଭୁବନେଶ୍ବର: ଗତ ୨୦ ତାରିଖରୁ ରାଜ୍ୟରେ ଧାନମଣ୍ଡି ଖୋଲିଛି । ଚଳିତ ବର୍ଷ ଧାନ କିଣା ପ୍ରକ୍ରିୟାକୁ ସ୍ବଚ୍ଛ କରିବାକୁ ସରକାର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିଛନ୍ତି । ଏହାସହ ଟୋକନ୍ ଟେନସନ୍, ମିଲର୍ସଙ୍କ ଦାଦାଗିରି ଓ କଟନି ଛଟନିରୁ ଚାଷୀଙ୍କୁ ମୁକ୍ତି ଦେବାକୁ ଏଥର ପ୍ରସ୍ତୁତ ହୋଇଛି ରୋଡମ୍ୟାପ୍ ।
କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସବୁ ମଣ୍ଡି ଉପରେ ନଜର ରଖିବ ଯୋଗାଣ ବିଭାଗ । କଣ୍ଟ୍ରୋଲ ସେଣ୍ଟର ଦ୍ୱାରା ସବୁ ମଣ୍ଡିର ସିସିଟିଭି ଅନୁଧ୍ୟାନ ହେବ । ଯୋଗାଣ ବିଭାଗ ଏହା ଉପରେ ୨୪ ଘଣ୍ଟା କାଳ ନଜର ରଖିବ । ଏଥିସହ ଧାନମଣ୍ଡିରେ ଅବ୍ୟବସ୍ଥା ହେଉଥିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍କୁ ଉଦ୍ଘାଟନ କରିଛନ୍ତି । ମଣ୍ଡି ସଂପର୍କିତ ଅସୁବିଧା ନେଇ ଟୋଲ୍ ଫ୍ରି ନମ୍ବର ୧୯୬୭ ରେ କଲ୍ କରି ପାରିବେ ଚାଷୀ ।
ଅଭିଯୋଗ ଆସିଲେ ନୋଡାଲ ଅଧିକାରୀ ତୁରନ୍ତ ଘଟଣାସ୍ଥଳକୁ ଯିବେ । ସୁରୁଖୁରୁରେ ଧାନ ଉଠିବା ଓ ମଣ୍ଡି ଜନିତ ସମସ୍ୟା ଦୂର କରିବାକୁ ଯୋଗାଣ ବିଭାଗ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।
ଏନେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, କୌଣସି କଟନି ଛଟନି ବିନା ଓ କିପରି ମଧ୍ୟସ୍ଥିଙ୍କ ପ୍ରଭାବ ନରହିବ ସେହି ଉଦ୍ଦେଶ୍ୟରେ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି । ଏହାଦ୍ୱାରା କୃଷକମାନଙ୍କ ସହ ତଥା ମଣ୍ଡି ଅଫିସରଙ୍କ ସହ ସିଧାସଳଖ ଆଲୋଚନା କରାଯାଇ ପାରିବ । ପ୍ରତ୍ୟେକ ମଣ୍ଡି ପାଇଁ ଜଣେ ଲେଖା ନୋଡ଼ାଲ ଅଫିସର ଅଛନ୍ତି । ସେମାନେ ମଧ୍ୟ ଉକ୍ତ କ୍ୟାମେରାରେ ଆସୁଛନ୍ତି ।
ଅତ୍ୟାଧୁନିକ ମଡେଲରେ କଣ୍ଟ୍ରୋଲ ରୁମ୍କୁ କରାଯାଇଛି । ରାଜ୍ୟରେ ଯେତେ ମଣ୍ଡି ଅଛି ସେଠାରେ କିପରି ଚାଷୀମାନେ ଧାନ ଦେବେ ଓ ସେମାନଙ୍କ ଆକାଉଣ୍ଟକୁ ଠିକ୍ ଭାବେ ଟଙ୍କା ଯିବ ତାହା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ଗତବର୍ଷ ପୂର୍ବ ସରକାର ୫୮ ଲକ୍ଷ କ୍ୱିଣ୍ଟାଲ ଧାନ କିଣିଥିଲେ, ହେଲେ ଏଥର ବୋନସ ଘୋଷଣା ପରେ ୮୦ ଲକ୍ଷ କ୍ୱିଣ୍ଟାଲ କିଣିବାକୁ ଟାର୍ଗେଟ୍ ରଖିଛନ୍ତି ମୋହନ ସରକାର । ଏଥର ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କା ଲେଖାଏଁ ଚାଷୀଙ୍କୁ ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ବେଳେ ଦଲାଲମାନେ ଯେପରି ମଣ୍ଡିକୁ ନ ଆସିବେ ସେଥିପାଇଁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି ।