ଦାଦନ ଖଟିବାକୁ ଯାଇ ଶ୍ରମିକ ମୃତ, ହତ୍ୟା ଅଭିଯୋଗ ଆଣିଲା ମାଆ


ବଲାଙ୍ଗୀର: ଦାଦନ ହେଲା କାଳ । ରୋଜଗାର ପାଇଁ ରାଜ୍ୟ ବାହାରକୁ ଯାଇ ପ୍ରାଣ ହରାଇଲେ ଶ୍ରମିକ । ହେଲେ ପୁଅକୁ ହତ୍ୟା କରାଯାଇଥିବା ତାଙ୍କ ମାଆ କରିଛନ୍ତି ଅଭିଯୋଗ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସୋଲବନ୍ଧା ଗାଁରୁ ଆସିଛି ଏମିତି ଅଭିଯୋଗ । ମୃତ ଦାଦନ ଶ୍ରମିକ ହେଲେ ଗଣେଶ ଶବର । ଗଣେଶଙ୍କୁ ହତ୍ୟା କରାଯାଇଥିବା ତାଙ୍କ ମାଆ ଅଭିଯୋଗ କରିଛନ୍ତି । 

ଗତ ୨୩ ତାରିଖରେ ଗଣେଶ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ । ଯିବାର ଦୁଇ ଦିନ ପରେ ତେଲେଙ୍ଗାନା ରାଜ୍ୟର ଟୁନି ରେଲୱେ ଷ୍ଟେସନ ନିକଟରେ ଗଣେଶଙ୍କ ମୃତଦେହ ପଡ଼ିଥିବା ନେଇ ପରିବାର ଲୋକଙ୍କୁ ଖବର ଦେଇଥିଲା ସ୍ଥାନୀୟ GRP । ପୁଅର ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡ଼ିଥିଲେ ପରିବାର ଲୋକେ ।ପୁଅକୁ ହତ୍ୟା କରାଯାଇଛି ବୋଲି ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ । ପଣ୍ଡାମୁଣ୍ଡା ଗାଁର ଦୁଇ ଜଣ ଦାଦନ ସର୍ଦ୍ଦାର ଗଣେଶକୁ ଚାଲାଣ କରିଥିବା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ପୁଅକୁ ଶେଷ ଥର ପାଇଁ ଦେଖିବାକୁ ଚାହିଁ ବସିଛି ମାଆ । ଶବ ଆଣିବାର ବ୍ୟବସ୍ଥା କରିବାକୁ ସେ ପ୍ରଶାସନ ପାଖରେ ଅନୁରୋଧ କରିଛନ୍ତି ।