ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଯୋଜନା । ଟାର୍ଗେଟରେ ଭୁବନେଶ୍ବର ବିମାନବନ୍ଦର । ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଧମକପୂର୍ଣ୍ଣ ଅଡିଓ ଇମେଲ କଲା ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ । ଏଥିରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରାଯାଇଛି ।
ଆସନ୍ତକାଲି ଭୁବନେଶ୍ୱର ବିମାନ ବନ୍ଦରରୁ ଉଡ଼ାଣ ନ ଭରିବାକୁ ଇ-ମେଲ୍ ଅଡିଓ ମେସେଜ କରି ଚେତାବନୀ ଦେଇଛି ଖଲିସ୍ତାନୀ ଆତଙ୍କୀ ପନ୍ନୁ । ଏଥିସହ ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ଧମକ ଦିଆଯାଇଛି । ଖଲିସ୍ତାନୀ ପତାକା ଉଡ଼ାଇଲେ ୨୫ ଲକ୍ଷର ପୁରସ୍କାର ମିଳିବ ବୋଲି ଘୋଷଣା କରିଛି ।
ଆଜି ସକାଳ ୯ଟା ୪ ମିନିଟ୍ ସମୟରେ ଏହି ଧମକ ପୂର୍ଣ୍ଣ ଇ-ମେଲ୍ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ପାଖକୁ ଆସିଥିଲା । ଏନେଇ ଅକ୍ଷୟ କମିଶନରେଟ୍ ପୋଲିସକୁ ଅବଗତ କରାଇଥିଲେ ଓ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି ।
ଅକ୍ଷୟ କହିଛନ୍ତି, ଘଟଣା ସଂପର୍କରେ ପୋଲିସ କମିଶନରଙ୍କୁ ଜଣାଇଛି । ଏନେଇ ଥାନାରେ ଏତଲା ଦେଇଛି । ପନ୍ନୁର ଧମକ ପୂର୍ଣ୍ଣ ଇ-ମେଲ୍ ପରେ ଲୋକସେବା ଭବନରେ ଚାଲିଥିବା ଡିଜିପି ସମ୍ମିଳନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କେନ୍ଦ୍ରୀୟ ସୁରକ୍ଷା ବ୍ୟବସ୍ଥା ଓ ଗୋଇନ୍ଦା ବିଭାଗକୁ ଆହୁରି ସଜାଗ ରହିବାକୁ କୁହାଯାଇଛି ।
ସୂଚନାଯୋଗ୍ୟ, ଲୋକସେବା ଭବନରେ ଚାଲିଛି ତିନିଦିନିଆ ଡିଜିପି ସମ୍ମିଳନୀ । ଆଜି ଏହାର ଦ୍ୱିତୀୟ ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ସାମିଲ ହେବେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଏନଏସଢ଼ ଅଜିତ ଡୋଭାଲ ଗତକାଲିଠାରୁ ଏଥିରେ ସାମିଲ ହୋଇଛନ୍ତି । ସକାଳୁ ଯୋଗ ସେସନରୁ ଡିଜିପି କନଫରେନ୍ସ ଆରମ୍ଭ ହୋଇଛି । ସମ୍ମିଳନୀରେ ରହିଛି ବିଜନେସ ସେସନ, ବ୍ରେକ ଆଉଟ୍ ସେସନ, ଥିମାଟିକ୍ ଡାଇନିଂ ଟେବୁଲ ସେସନର ନୂଆ ବ୍ୟବସ୍ଥା । ଯେଉଁଥିରେ ଖାଇବା ଟେବୁଲରେ ବି ଭିନ୍ନ ଭିନ୍ନ ବିଷୟ ଭିତ୍ତିକ ଆଲୋଚନା ହେବ । ଯାହାଦ୍ୱାରା ଆଭ୍ୟନ୍ତରୀଣ ସୁରକ୍ଷା, ଜରୁରିକାଳୀନ ସ୍ଥିତିରେ ଆଇନଶୃଙ୍ଖଳା ବଜାୟ ରଖିବା ଭଳି ସ୍ଥିତି ନେଇ ବରିଷ୍ଠ ପୋଲିସ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଆଗରେ ନିଜର ମତ ରଖିବେ ।