ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡେଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡେଙ୍କକୁ ବିରୋଧ । ତାଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବେ ବିରୋଧୀ । କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ବ୍ଲକ୍ ଧନଖଡ଼ଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିଛି । ସେ ଗୃହ କାର୍ଯ୍ୟ ବେଳେ ଶାସକ ଦଳର ପକ୍ଷ ରଖୁଛନ୍ତି ଓ ବିରୋଧୀଙ୍କ ସ୍ୱରକୁ ଦମନ କରୁଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି ।
ଇଣ୍ଡି ମେଣ୍ଟର ପ୍ରଦର୍ଶନରେ ଅସନ୍ତୁଷ୍ଟ ଥିବା କଂଗ୍ରେସ ସହ ଟିଏମସି, ଏସପି ଓ ଆପ୍ ଦଳର ସାଂସଦ ଧନଖଡେଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହୋଇଛନ୍ତି । ଏହି ଅବିଶ୍ୱାସ ପ୍ରସ୍ତାବକୁ ପାରିତ କରିବା ପାଇଁ ୫୦ ଜଣ ସାଂସଦଙ୍କ ହସ୍ତାକ୍ଷର ଆବଶ୍ୟକ ଥିବା ବେଳେ ତାଙ୍କ ପାଖରେ ୭୦ଜଣ ସାଂସଦଙ୍କ ହସ୍ତାକ୍ଷର ଥିବା କଂଗ୍ରେସ ଦାବି କରିଛି ।
ବିରୋଧୀ ଦଳମାନେ ସମ୍ବିଧାନର ଅନୁଚ୍ଛେଦ ୬୭(ବି) ଅଧୀନରେ ଧନଖଡ଼େଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ କହିଛନ୍ତି । କୁହାଯାଉଛି ସୋମାବାର ରାଜ୍ୟସଭାରେ ଜର୍ଜ ସୋରୋସଙ୍କ ପ୍ରସଙ୍ଗରେ ହୋଇଥିବା ହଙ୍ଗାମା ସମୟରେ ଧନଖଡେଙ୍କ ଆଭିମୁଖ୍ୟକୁ ଦେଖି କଂଗ୍ରେସ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ କହିଛି ।
ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼େଙ୍କ ବିରୋଧରେ ତ୍ରୁଣମୂଳ କଂଗ୍ରେସ (ଟିଏମସି), ଆମ୍ ଆଦମୀ ପାର୍ଟି (ଏସପି) ଏବଂ ସମାଜବାଦୀ ପାର୍ଟି (ଏସପି) ସମେତ ବିରୋଧୀ ଦଳ ମିଳିତ ଭାବେ ଦସ୍ତଖତ କରିଛନ୍ତି।
ରାଜ୍ୟସଭା ଅଧ୍ୟକ୍ଷଙ୍କୁ ପଦରୁ ହଟାଇବା ପାଇଁ ଅତି କମରେ ୫୦ ଜଣ ସାଂସଦଙ୍କ ସମର୍ଥନ ଲୋଡା । ସାଂସଦଙ୍କ ହସ୍ତାକ୍ଷର ସହ ଅନାସ୍ଥା ପ୍ରସ୍ତାବ ସଚିବାଳୟକୁ ଯିବ । ଅତି କମରେ ୧୪ ଦିନ ପୂର୍ବରୁ ତାଙ୍କୁ ନୋଟିସ୍ ଦେବାକୁ ପଡିବ । ଏଥିରେ ଉପରାଷ୍ଟ୍ରପତିଙ୍କୁ ହଟାଇବା ପାଇଁ ସଠିକ୍ କାରଣ ଥିବା ଦରକାର ।
ନୋଟିସ୍ ପରେ ରାଜ୍ୟସଭାରେ ଉପସ୍ଥିତ ସଦସ୍ୟଙ୍କ ବହୁମତ ଆଧାରରେ ପ୍ରସ୍ତାବ ପାରିତ ହେବ । ଏହାପରେ ଏହାକୁ ଲୋକସଭା ପଠାଯିବ । ରାଜ୍ୟସଭା ଅଧ୍ୟକ୍ଷ ଦେଶର ଉପରାଷ୍ଟ୍ରପତି, ଯାହା ଦ୍ୱିତୀୟ ସର୍ବୋଚ୍ଚ ସମ୍ବିଧାନିକ ପଦ । ଏଭଳି ସ୍ଥିତିରେ ତାଙ୍କୁ ପଦରୁ ହଟାଇବାକୁ ହେଲେ ଲୋକସଭାରେ ମଧ୍ୟ ପ୍ରସ୍ତାବ ପାରିତ କରିବାକୁ ପଡିବ ।