ପୁରୀ: ଆଜିଠୁ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସେପ୍ଟେମ୍ବର ୨୧ ଓ ୨୨ ତାରିଖରେ ଏନଜିଆରଆଇ ଓ ଏଏସଆଇ ପକ୍ଷରୁ ହୋଇଥିବା ଜିପିଆର୍ ସର୍ଭେ ରିପୋର୍ଟ ଆଧାରରେ ଏବଂ ରାଜ୍ୟ ସରକାରଙ୍କ ଏସଓପି ଭିତ୍ତିରେ ହେବ ମରାମତି କାମ ।
ଏହି ସମୟରେ ଏଏସ୍ଆଇର ସଂରକ୍ଷଣ ଓ ରାସାୟନିକ ଆଦି ବିଭାଗର ବରିଷ୍ଠ ବୈଷୟିକ ବିଶେଷଜ୍ଞ ଉପସ୍ଥିତ ରହିବେ । ଏଥିସହ ଡାକ୍ତରୀ ଟିମ, ଅଗ୍ନିଶମ କର୍ମଚାରୀ ଏବଂ ASIର ସ୍ୱତନ୍ତ୍ର ଟିମ ଉପସ୍ଥିତ ରହିବେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମରାମତି କାମ ପାଇଁ ରତ୍ନଭଣ୍ଡାରକୁ ପ୍ରବେଶ କରିବାକୁ ଥିବା ସମସ୍ତେ ସେବାୟତଙ୍କ ଭଳି ପାରମ୍ପରିକ ପୋଷାକ ପରିଧାନ କରିବେ ।
ମିଳିଥିବା ସୂଚନା ଅନୁସାରେ ପ୍ରଥମେ ଭିତର ଭଣ୍ଡାର ମରାମତି ହେବ । ଏଥିପାଇଁ ପ୍ରଥମେ ଭାରାବନ୍ଧା କାମ ହେବ, ଏହାପରେ ସଂପୂର୍ଣ୍ଣ କାନ୍ଥର ପ୍ଲାଷ୍ଟର ଛଡ଼ାଯିବ । ଏହାପରେ ଯେଉଁ ଯେଉଁ ସ୍ଥାନରେ ଫାଟ ଅଛି ତାର ମରାମତି ହେବ । ପଥର ପ୍ରଭାବିତ ହୋଇଥିଲେ, ରିପ୍ଲେସ୍ କରାଯିବ । ସେହିପରି ଚଟାଣର ଅନେକ ସ୍ଥାନରେ ମୂଷା ଗାତ ଥିବାରୁ, ସଂପୂର୍ଣ୍ଣ ଚଟାଣର ମଧ୍ୟ ଡିପ୍ଲାଷ୍ଟରିଂ କରାଯାଇ ମରାମତି କରାଯିବ । ଯେଭଳି ଆଗାମୀ ଶହେ ବର୍ଷ ପାଇଁ କୌଣସି ସମସ୍ୟା ନ ରହିବ ତାକୁ ଦୃଷ୍ଟିରେ ରଖି ମରାମତି କାର୍ଯ୍ୟ କରାଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି ।
ସମୟ ନିର୍ଘଣ୍ଟ ଅନୁଯାୟୀ, ଦ୍ୱିପ୍ରହର ଧୂପ ଓ ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ପରେ ପ୍ରତ୍ୟେହ ଦିନ ପ୍ରାୟ ସାଢ଼େ ୧୨ଟା କିମ୍ବା ଗୋଟାଏରୁ ମରାମତି କାମ ଆରମ୍ଭ ହେବ । ଯାହା ପ୍ରାୟ ୫ ଘଣ୍ଟା ଧରି ଚାଲିବ । ତେଣୁ ମରାମତି କାମ ଯୋଗୁଁ ଶ୍ରୀଜିଉଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ହେବ ନାହିଁ ଓ ଦର୍ଶନ ଶୃଙ୍ଖଳିତ ରହିବ ତା’ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।