ଅସହ୍ୟ ଶୀତରେ ଥରୁଛି ଓଡ଼ିଶା, ୨୪ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୟେଲୋ ଆଲର୍ଟ


ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଅସହ୍ୟ ଶୀତ ଲହରୀ । ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ ପ୍ରବଳ ଜାଡ । କୋଲ୍ଡ ଓ୍ବେଭ୍ ପାଇଁ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ ଓ ଜଗତସିଂହପୁରକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ହାଡଭଙ୍ଗା ଜାଡ ସହ ଘନ କୁହୁଡି କରୁଛି ଅସ୍ତବ୍ୟସ୍ତ । ଶୀତ ଲହରୀ ସହ ଘନ କୁହୁଡି ଆକ୍ତାମାକ୍ତା କରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଶୀତ ଲହରୀ ପାଇଁ ୪ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବା ବେଳେ ଘନ କୁହୁଡି ପାଇଁ କନ୍ଧମାଳ ଓ କୋରାପୁଟକୁ ସତର୍କତା ଜାରି କରାଯାଇଛି ।

ଏହି ଦୁଇ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ମିଟର ରହିବାର ସମ୍ଭାବନା ରହିଛି । ଶୀତ ଲହରୀ ପାଇଁ ୟେଲୋ ଆଲର୍ଟ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ପାରଦ ୧୦ ଡିଗ୍ରୀ ତଳକୁ ଖସି ଆସିବ । ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ କମିବ । ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଜି ପରଠାରୁ ରାଜ୍ୟରେ ମେଘୁଆ ପାଗ ସହ କିଛି ସ୍ଥାନରେ ବର୍ଷା ନେଇ ଆକଳନ କରାଯାଇଛି ।

୨୨ ତାରିଖ ପର୍ଯ୍ୟନ୍ତ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁରରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ଲଘୁଚାପ ତାମିଲନାଡୁ ମୁହାଁ ହେଇଥିବା ବେଳେ ଓଡ଼ିଶା ଉପରେ ତାହାର ସିଧା ପ୍ରଭାବ ପଡ଼ିବ ନାହିଁ । କିନ୍ତୁ କୋହଲା ପାଗ ସହ ବାୟୁ ଚଳାଚଳ ଉପରେ ପ୍ରଭାବ ପକାଇବ । ବିଶେଷ କରି ସମୁଦ୍ରରୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଓଡ଼ିଶାକୁ ପ୍ରବେଶ କରିବ । ପ୍ରଭାବରେ ୧୮ ତାରିଖରୁ ରାଜ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ।