କଟକ: କଟକରୁ ପୁଣି ଏକ ଠକେଇ ଅଭିଯୋଗ । ପୁଣି ଜଣେ ଠକେଇ ଅଭିଯୋଗରେ ଗିରଫ । ନିଜକୁ ଆଇଏଏସ୍ ଅଧିକାରୀ କହି ଆଶାୟୀଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଥିଲେ । ଅଭିଯୋଗ ହେବା ପରେ ପୋଲିସ ଠକକୁ ଗିରଫ କରିଛି । ତେବେ ଏହି ଠକେଇ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଥିବା ଜଣେ ମହିଳା ଫେରାର ହୋଇଯାଇଛି । ଗିରଫ ଅଭିଯୁକ୍ତ ହେଲେ ବିଡ଼ାନାସୀ ସୁଭଦ୍ରାନଗର ଅଞ୍ଚଳର ଡାନିଏଲ୍ ରାଜ୍ । ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଠକେଇ କରିଥିବା ନେଇ କଟକ ବିଡାନାସୀ ଥାନାରେ ଅଭିଯୋଗ ହୋଇଥିଲା ।
ସୂଚନାଯୋଗ୍ୟ, ବିଡାନାସୀ ଅଞ୍ଚଳରେ ରହୁଥିବା ଜଣେ ମହିଳା ନିଜକୁ ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଆଇଏଏସ୍ ଅଧିକାରୀ ବୋଲି ନିଜକୁ ପରିଚୟ ଦେଉଥିଲେ । ରେଳବାଇ, ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ, ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ହେଉଥିବା ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ଚାକିରି କରାଇ ଦେବାକୁ କହି ନିଜ ଜାଲରେ ଯୁବବର୍ଗଙ୍କୁ ଫସାଉଥିଲେ । ଏଭଳି ମିଛ ପ୍ରତିଶ୍ରୁତି ଦେଇ ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ଆଣୁଥିଲେ । ହେଲେ ଆଶାୟୀମାନଙ୍କୁ ଚାକିରି ମିଳୁ ନଥିଲା ।
ଠକେଇର ଶିକାର ହୋଇଥିବା ଜଣେ ଆଶାୟୀ କଟକ ବିଡାନାସୀ ଥାନାର ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ହେଲେ ସଂପୃକ୍ତ ମହିଳା ଜଣଙ୍କ ଫେରାର ଅଛନ୍ତି । ପୋଲିସ ତାଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି । ରାଜ୍ୟର ବିଭିନ୍ନ ସ୍ଥାନକୁ ଏହି ରାକେଟର ଚେର ଲମ୍ବିଥିବା ଜଣାଯାଇଛି । ମାଷ୍ଟର ମାଇଣ୍ଡଙ୍କ ମହିଳାଙ୍କ ସହ ତାଙ୍କ ପୁଅ ଓ ଝିଅ ଏହି ନେଟୱାର୍କରେ କାମ କରୁଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି ।