ଅନୁଗୋଳ: ଘରୋଇ କମ୍ପାନୀରେ କାମ କରୁଥିବା ଦୁଇ ଜଣ ବାଇକରେ ଡ୍ୟୁଟିକୁ ଯାଉଥିବା ବେଳେ ଚଢ଼ିଗଲା ଟ୍ରକ୍ । ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଚନ୍ତି । ଦୁର୍ଘଟଣା ଅନୁଗୋଳ ଟାଉନ ଥାନାର ପ୍ରଶାନ୍ତି ହୋଟେଲ ଛକ ନିକଟରେ ଘଟିଛି । ମୃତ ବ୍ୟକ୍ତି ହେଲେ ବିକ୍ରମ ରାଉତରାୟ । ତାଙ୍କ ଘର ଜଗତସିଂପୁର ଜିଲ୍ଲାରେ । ଜଣଙ୍କ ହେଲେ କରଣ ବିର ଗୋପୀ । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ବିକ୍ରମ ଓ ବିର ଆଜି ସକାଳେ ଏକ ବାଇକ୍ ଯୋଗେ ଘରୋଇ କମ୍ପାନୀକୁ ଡ୍ୟୁଟିକୁ ଯାଉଥିଲେ । ଏହି ସମୟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା । ଦୁଇ ଜଣଙ୍କ ଛିଟିକି ତଳେ ପଡ଼ିଯାଇଥିଲେ । ପରେ ଟ୍ରକ୍ଟି ଉଭୟଙ୍କ ଉପରେ ମାଡ଼ି ଯାଇଥିଲା ।
ଘଟଣା ପରେ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତଦେହ ରଖି ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ । ଫଳରେ ଜାତୀୟ ରାଜପଥରେ ଯାତାୟତ ଠପ୍ ହୋଇଯାଇଥିଲା । ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଗାଡ଼ି ମୋଟର ଅଟକି ରହିଥିଲା । ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା । ଦୁର୍ଘଟଣା ପରେ ଗାଡ଼ି ନେଇ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି ।