ବାଲେଶ୍ବର: ଚୋରି ସନ୍ଦେହରେ ୪ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ବାପାପୁଅ । ନିର୍ଯାତନା ଏତେ ଅସହ୍ୟ ହେଲା ଯେ ଜଣେ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଅନ୍ୟ ତିନି ଜଣ ମେଡିକାଲ ବେଡରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଏମିତି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗାଁରେ ।
ଅଭିଯୋଗ ଅନୁସାରେ, ଗାଁର ଅଜୟ ଦାସଙ୍କ ଲୁଗା ଦୋକାନରୁ କିଛି ଦିନ ପୂର୍ବରୁ ତାଲା ଭାଙ୍ଗି ଚୋରି ହୋଇଥିଲା । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଚୋରମାନଙ୍କର କୌଣସି ସନ୍ଧାନ ମିଳି ନଥିଲା ।
ଗତକାଲି ଅଜୟ ଦାସ ଏବଂ ତାଙ୍କ ଦୁଇ ପୁଅ ତାଙ୍କ ଦୋକାନରୁ ଚୋରି କରିଥିବା ସନ୍ଦେହରେ ଗାଁର ତ୍ରୀଲୋଚନ ପ୍ରଧାନ, ସତିଶ ସିଂ, ଭାନୁ ପ୍ରଧାନ ଏବଂ ତପୁ ମହାନ୍ତିଙ୍କୁ ଘରୁ ଡାକି ଆଣିଥିଲେ । ଏହାପରେ ସେମାନେ ସମସ୍ତଙ୍କୁ ରାସ୍ତା ପାର୍ଶ୍ୱରେ ଥିବା ଇଲେକ୍ଟ୍ରି ଖୁଣ୍ଟିରେ ବାନ୍ଧି ଲୁହା ରଡ ଓ କାଠ ଫାଳିଆରେ ନିସ୍ତୁକ ପିଟିଥିଲେ । ଛାଡ଼ିବାକୁ କାକୁତି ମିନତି ହେଲେ ବି ସେମାନେ କିନ୍ତୁ କୌଣସି କଥାକୁ କର୍ଣ୍ଣପାତ କରି ନଥିଲେ । ପ୍ରବଳ ମାଡ଼ ଯୋଗୁଁ ଘଟଣାସ୍ଥଳରେ ତ୍ରିଲୋଚଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇ ଥିବା ବେଳେ ଅଭିଯୁକ୍ତ ଅଜୟ ଦାସ ଏବଂ ତାଙ୍କ ପୁଅକୁ ପୋଲିସ ଅଟକ ରଖିଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସମ୍ପର୍କୀୟ ।