ବନ ବିଭାଗ ସହ ଲୁଚକାଳି ଖେଳୁଛି ବାଘୁଣୀ ଜନ୍ନତ


ବାରିପଦା: ଶିମିଳିପାଳରୁ ଖସି ପଳାଇଥିବା ବାଘୁଣୀ ଜିନ୍ନତ ବନ ବିଭାଗକୁ କରି ସାରିଲାଣି ନାକେଦମ । ଜନ୍ନତକୁ ଓଡ଼ିଶା ଫେରାଇ ଆଣିବାକୁ ବନ ବିଭାଗ କସରତ ଚଲାଇଛି, ହେଲେ ତାକୁ କାବୁ କରିବା କାଠିକର ପାଠ ହୋଇଛି । ତାକୁ ୩ରୁ ୪ ଥର ଟ୍ରାଙ୍କୁଲାଇଜ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ବିଫଳ ହୋଇଛି ବନ ବିଭାଗ । ଘଞ୍ଚ ଜଙ୍ଗଲ ଭିତରେ ରହୁଥିବାରୁ ଟ୍ରାଙ୍କୁଲାଇଜ୍ କରାଯାଇ ପାରୁନି । ସ୍ପଷ୍ଟ ଚିତ୍ର ମିଳିପାରୁ ନଥିବାରୁ ଇଞ୍ଜେକସନ୍ ଠିକ୍ ଜାଗାରେ ଲାଗୁନାହିଁ । 

ବାଘୁଣୀ ଜିନ୍ନତକୁ ଟ୍ରାକ କରିବା ପାଇଁ ଲାଗିଛନ୍ତି ଦୁଇ ରାଜ୍ୟର ୩ଟି ଟିମ୍ । ଓଡ଼ିଶାର ଗୋଟିଏ ଟିମ, ସୁନ୍ଦରବନ ଟିମ ସମେତ ପଶ୍ଚିମବଙ୍ଗର ଦୁଇଟି ଟିମ ଜିନ୍ନତକୁ ଟ୍ରାକ୍ କରିବାରେ ଲାଗିଛନ୍ତି । ବାଘୁଣୀ ଜିନ୍ନତ ଏବେ ପଶ୍ଚିମବଙ୍ଗ ଜଙ୍ଗଲରେ ବୁଲୁଛି । ଯଦିଓ ଏବେ ଟ୍ରାଙ୍କୁଲାଇଜ ପାଇଁ ହାତୀର ସହାୟତା ନିଆଯାଇନି, ଆବଶ୍ୟକ ପଡ଼ିଲେ ସେ ବିକଳ୍ପ ବି ଆପଣାଯିବ । ଖୁବଶୀଘ୍ର ଶିମିଳିପାଳ ଅଭୟାରଣ୍ୟ ଫେରାଇ ଆଣିବାକୁ ସବୁ ପ୍ରକାର ଚେଷ୍ଟା କରାଯିବ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ।

ସେହିପରି ପଶ୍ଚିମବଙ୍ଗର ବନ ଅଧିକାରୀ କହିଛନ୍ତି, ଜିନ୍ନତ୍ ପୁରୁଲିଆ ବନ୍ଦୱାନ ଜଙ୍ଗଲର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବୁଲୁଛି । ସେଠାରୁ ତାକୁ ଓଡ଼ିଶା ଫେରାଇ ଆଣିବାକୁ ସବୁ ରଣନୀତି ଆପଣାଯାଉଛି । ଜିନ୍ନତକୁ ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣା ଯାଇଥିଲା । ପ୍ରଥମେ ତାଙ୍କୁ ଶିମିଳିପାଳରେ ଏନକ୍ଲୋଜରରେ ରଖାଯାଇଥିଲା । ପରେ ତାକୁ ଶିମିଳିପାଳର କୋର ଏରିଆ ଭିତରେ ଛାଡ଼ି ଦିଆଯାଇଥିଲା । ତେବେ ଗତ ୧୦ ତାରିଖରେ ଜିନ୍ନତ ଶିମିଳିପାଳ ଛାଡ଼ ଝାଡ଼ଖଣ୍ଡ ପଳାଇଥିଲା । ଜିନ୍ନତ ଝାଡ଼ଖଣ୍ଡର ଜାମସେଦପୁର ରେଞ୍ଜର ଚାକୁଳିଆ ଅଞ୍ଚଳରେ ଥିଲା । ୧୯ ତାରିଖ ରାତିରେ ସେ ସେଠାରୁ ପଶ୍ଚିମବଙ୍ଗର ବେଲପାହାଡ଼ି ଜଙ୍ଗଲକୁ ପଳାଇଛି ।