ଅଗଷ୍ଟ ୧୫ରୁ ରାଜ୍ୟରେ ଗଡ଼ିବ ଗ୍ରୀନ ହାଇଡୋଜେନ ବସ୍


ଭୁବନେଶ୍ବର: ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟରେ ଗ୍ରୀନ ହାଇଡ୍ରୋଜେନ ବସ୍‌ ଚଳାଚଳ ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ । ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ ଓ ପୁରୀ ମଧ୍ୟରେ ଏହି ବସ୍ ଗଡିବ । ଏନେଇ ଲୋକସେବା ଭବନରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । ରାଜ୍ୟ ସରକାରଙ୍କ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ୍ ସହ NTPC Ltd., GRIDCO Ltd. ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

ପ୍ରାଥମିକ ପର୍ଯ୍ୟାୟରେ ୩ଟି ବସ୍‌ ଚଳାଚଳ କରିବ । ଉପମୁଖ୍ୟ ମନ୍ତ୍ରୀ ତଥା ଶକ୍ତି ବିଭାଗ ମନ୍ତ୍ରୀ କେଭି ସିଂଦେଓ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ତେବେ ହାଇଡ୍ରୋଜେନ୍ ପ୍ରସ୍ତୁତି ନିମନ୍ତେ ଏନଟିପିସିକୁ ରାଜ୍ୟ ସରକାର ଗାଡକଣଠାରେ ଏକ ଜାଗା ପ୍ରଦାନ କରିଛନ୍ତି । ଯେଉଁଠି ନର୍ଦ୍ଦମା ଜଳରୁ ହାଇଡ୍ରୋଜେନ୍ ପ୍ରସ୍ତୁତ କରିବ ଏନଟିପିସି । ତେବେ ଥରକେ ବସ୍‌ରେ ୫୮ କେଜି ହାଏଡ୍ରୋଜେନ୍ ଭର୍ତ୍ତି ହୋଇପାରିବ ଓ ଏହା ୬୦୦ କି.ମି. ଯାଏଁ ଯାତ୍ରା କରିବ । ବସର ଦାମ ପ୍ରାୟ ୨ କୋଟି ଟଙ୍କା ରହିବ ବୋଲି ସୂଚନା ଦେଇଛନ୍ତି ଏନଟିପିସି କର୍ତ୍ତୃପକ୍ଷ ।