Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଜୁଡ଼ା କ୍ଷେତ ଦେଖି ଜୀବନ ହାରିଲେ ଆଉ ଜଣେ ଚାଷୀ

ଜଗତସିଂହପୁର: ଅଦିନିଆ ବର୍ଷାରେ ଫସଲ ଉଜୁଡିବା ପରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଯେ ଭାଙ୍ଗି ଯାଇଛି ତାହା ନୁହେଁ । ମନକୁ ଦେଇଛି ଗଭୀର ଆଘାତ । ଆଉ ଏହି ଆଘାତ ଏତେ ଗଭୀର ଯେ, ଜଣକ ପରେ ଜଣେ ଚାଷୀ ମୃତ୍ୟୁର ବାଟ ବାଛି ନେଉଛନ୍ତି । ଏମିତି ହୃଦୟ ବିଦାରକ ଘଟଣା ଘଟିଛି ଜଗତସିଂହପୁରରେ । ଅମଳ ହେବାକୁ ଥିବା ଫସଲ ପାଣିରେ ପଚୁଥିବା ଦେଖି ସହି ପାରିଲେନି ଚାଷୀ, ଘରେ ଝୁଲି ପଡ଼ି କଲେ ଆତ୍ମହତ୍ୟା ।

ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ସାରଣା ଗାଁରେ ଘଟିଛି ଘଟଣା । ମୃତ ଚାଷୀ ଜଣକ ହେଲେ କୃତିବାସ ସ୍ୱାଇଁ । ଫସଲହାନୀ କାରଣରୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଗତକାଲି କୃତିବାସ ଭାଇଙ୍କ ସହ ଧାନ କାଟିବାକୁ ଯାଇଥିଲେ । ସନ୍ଧ୍ୟାରେ ଘରକୁ ଆସି ପୂଜାପାଠ କଲେ । ଏହାପରେ ନିଜ ରୁମ ଭିତରକୁ ଯାଇ କବାଟ ବନ୍ଦ କରି ଦେଇଥିଲେ । କିଛି ସମୟ ପରେ ପରିବାର ଲୋକେ ଡାକିଲେ ମଧ୍ୟ ସେ ଆଉ କବାଟ ଖୋଲି ନଥିଲେ ।

ଏହାପରେ ପରିବାର ଲୋକେ ପଡ଼ୋଶୀଙ୍କ ସହ କବାଟ ଭାଙ୍ଗି ଭିତରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ । ତାଙ୍କୁ ଉଦ୍ଧାର କରି ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଫସଲ ହାନୀକୁ ନେଇ ଚିନ୍ତିତ ଥିବା କୃତିବାସ ଏପରି ଚରମ ପଦକ୍ଷେପ ଉଠାଇଥିବା ଅଭିଯୋଗ ଆଣି ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories