ଭୁବନେଶ୍ବର: ପ୍ରବାସୀ ଭାରତୀୟ ସମ୍ମିଳନୀ ଆରମ୍ଭ ହୋଇସାରିଛି । ପ୍ରଧାମନ୍ତ୍ରୀ ଆଜି ଓଡ଼ିଶା ଆସୁଥିବା ବେଳେ ଉଦଯାପନୀ ସମାରୋହରେ ଯୋଗଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ରାଜଧାନୀ ସୁରକ୍ଷା ବଳୟ ଭିତରେ ରହିଛି । ଆଉ ଏହାରି ଭିତରେ ଓଡ଼ିଶା ପୋଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ଅପରାଧୀ । ସ୍କୁଟିରେ ଯାଉଥିବା ଯୁବକଙ୍କ ଗଣ୍ଡି, ମୁଣ୍ଡ କରି ଦେଇଛନ୍ତି ଅଲଗା । ଏମିତି ଘଟଣା ରସୁଲଗଡ଼-ବାଣୀବିହାର ଜାତୀୟ ରାଜପଥରେ ସକାଳୁ ଘଟିଛି । ଚଳନ୍ତା ସ୍କୁଟିରେ ଯାଉଥିବା ଜଣେ ଯୁବକଙ୍କ ମୁଣ୍ଡକୁ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକଙ୍କ ପରିଚୟ ମିଳି ନଥିବା ବେଳେ ହତ୍ୟାକାରୀ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି ।
ଆଜି ସକାଳ ପ୍ରାୟ ୮ଟା ବେଳେ ରସୁଲଗଡ଼ରୁ ବାଣୀବିହାର ଓଭର ବ୍ରିଜ ଉପରେ ଜଣେ ଯୁବକ ସ୍କୁଟିରେ ଯାଉଥିଲେ । ଏହି ସମୟରେ ପଛରୁ ଏକ ବାଇକରେ ଦୁଇ ଯୁବକ ଆସି ଯୁବକଙ୍କୁ ଏକ ମାରଣାସ୍ତ୍ରରେ ଚୋଟ ପକାଇଥିଲେ । ଫଳରେ ତାଙ୍କ ବେକ ମୁଣ୍ଡରୁ ଅଲଗା ହୋଇ ତଳେ ପଡ଼ି ଯାଇଥିଲା ।
ଏକ ମୁଣ୍ଡବିହିନୀ ମୃତଦେହ ରାଜପଥରେ ପଡ଼ିଥିବା ଖବର ପାଇ ତୁରନ୍ତ ପୋଲିସ୍ ସେଠାରେ ପହଞ୍ଚିଥିଲା । ପୋଲିସ୍ ଘଟଣାସ୍ଥଳରୁ ମୃତଦେହ ଓ ଗାଡ଼ି ଜବତ କରିଥିବା ବେଳେ ଯୁବକଙ୍କ ପରିଚୟ ମିଳି ପାରିନି । ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ତେବେ କିଏ ଓ କାହିଁକି ଏପରି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଲା, ଏହା ପଛର କାରଣ କ’ଣ ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ୍ । ସିସିଟିଭି ଫୁଟେଜ ଆଧାରରେ ପୋଲିସ୍ ଅଭିଯୁକ୍ତଙ୍କୁ ଖୋଜିବାକୁ ପ୍ରୟାସ ଆରମ୍ଭ କରିଛି ।